କୃଷି ବିଭାଗକୁ ପଙ୍ଗପାଳ ଚିନ୍ତା

ଚାଷୀମାନେ ଓୟୁଏଟି ପରାମର୍ଶ ମାନନ୍ତୁ : ମନ୍ତ୍ରୀ

ଏ ଯାଏ ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ପହଞ୍ଚି ନାହାନ୍ତି
୧୯୯୩‌ରେ ଭାରତରେ ପଙ୍ଗପାଳ ଆକ୍ରମଣ ହୋଇଥିଲା

ଭୁବନେଶ୍ବର : ବିଦେଶରୁ ଆସିଥିବା କରୋନା ଭୂତାଣୁ ଜନଜୀବନକୁ ‌କଲବଲ କରିସାରିଲାଣି। ଠିକ୍ ଏହି ସମୟରେ ଚାଷ ଉପରକୁ ଏକ ସାଂଘାତିକ ବିପଦ ମାଡ଼ି ଆସୁଛି। ତାହା ବି ପୁଣି ବିଦେଶରୁ। ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଥିବା ‘ପଙ୍ଗପାଳ’ ଏବେ ଭାରତରେ ପହଞ୍ଚିଯାଇଛନ୍ତି। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପଙ୍ଗପାଳଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଏହା ଦେଶର ଅନ୍ୟ ରାଜ୍ୟକୁ ମାଡ଼ି ଯାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।

ଏହାକୁ ଦୃଷ୍ଟିରେ ରଖି ଗତକାଲି ଓୟୁଏଟି ଚାଷୀଙ୍କୁ ସତର୍କ କରାଇ ମାର୍ଗଦର୍ଶିକା ଜାରି କଲା ପରେ ଆଜି କୃଷି ବିଭାଗ ଏ ନେଇ ତତ୍ପରତା ପ୍ରକାଶ କରିଛି। କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି କୃଷି ଭବନରେ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ପଙ୍ଗପାଳଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ କି ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ବିଚାର ବିମର୍ଷ ହୋଇଥିଲା। ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ ଯେ ପୂର୍ବ ଆଫ୍ରିକାରୁ ପଙ୍ଗପାଳ ଦଳ ଆସିଛନ୍ତି। ସେହି ଦଳ ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଏହି ଦଳ ଓଡ଼ିଶା ଆସିବା ନେଇ ଅନୁମାନ କରାଯାଉଛି। ତେ‌ବେ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇ ନାହିଁ। ଚାଷୀମାନେ ଭୟ କରନ୍ତୁ ନାହିଁ। ଫସଲ ରକ୍ଷା ପାଇଁ ଓୟୁଏଟିର ପରାମର୍ଶ ମାନନ୍ତୁ। ପ୍ରତିରୋଧ ପାଇଁ କୃଷି ବିଭାଗ ଓ ଓୟୁଏଟି ପକ୍ଷରୁ ପଦକ୍ଷେପ ନିଆଯାଉଛି।

କୃଷି ବିଶେଷଜ୍ଞମାନଙ୍କ ସୂଚନା ଅନୁଯାୟୀ ପଙ୍ଗପାଳ ଏକ ଝିଣ୍ଟିକା ଜାତୀୟ କୀଟ। ସେମାନେ ସାଧାରଣତଃ ପୂର୍ବ ଆଫ୍ରିକୀୟ ମରୁଭୂମି ଅଞ୍ଚଳରେ ଅବସ୍ଥାନ କରନ୍ତି। ଚଳିତ ବର୍ଷ ପଙ୍ଗପାଳଙ୍କ ଉତ୍ପତ୍ତି ସ୍ଥାନରେ ଭଲ ବର୍ଷା ହୋଇଥିବାରୁ ଏବଂ ସବୁଜିମା ରହିଥିବାରୁ ପଙ୍ଗପାଳଗୁଡ଼ିକ ଭଲ ଖାଦ୍ୟ ପାଇ ଏପ୍ରିଲ-ମଇ ମାସରେ ସ୍ଥାନାନ୍ତରଣ ଆରମ୍ଭ କରିଛନ୍ତି। ଏମାନେ ସ୍ଥାନାନ୍ତରଣ ହେବା ବେଳେ ଭୋର୍‌, ସକାଳ ବା ସନ୍ଧ୍ୟାରେ ଯେ କୌଣସି ସ୍ଥାନରେ ସବୁଜିମା ଦେଖି ରୁହନ୍ତି ଏବଂ ସେହି ସ୍ଥାନର ଗଛପତ୍ର ସବୁ ଖାଇ ନଷ୍ଟ କରି ଦିଅନ୍ତି। ସାଧାରଣତଃ ଏକ ବର୍ଗ କିଲୋମିଟର ଅଞ୍ଚଳରେ ୧ ରୁ ୮ କୋଟି ପର୍ଯ୍ୟନ୍ତ ସଂଖ୍ୟାରେ ଥାଆନ୍ତି। ଯଦିଓ ପଙ୍ଗପାଳଗୁଡ଼ିକର ଆୟୁଷ ୯ ମାସରୁ ୧୨ ମାସ ହୋଇଥାଏ, ତେବେ ଖାଦ୍ୟ ଖାଇଲେ ଏମାନଙ୍କ ଜୀବନ ୨ ମାସରେ ଶେଷ ହୋଇଥାଏ। ସ୍ଥାନାନ୍ତରଣ ବେଳେ ମଧ୍ୟ ଅଣ୍ଡା ଦେଇ ଏମାନଙ୍କ ବଂଶ ବୃଦ୍ଧି ଘଟୁଛି।

ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ ଅଧୀନରେ ଏକ ‘ଆନ୍ତର୍ଜାତିକ ପଙ୍ଗପାଳ ଅନୁସନ୍ଧାନ ସଂସ୍ଥା’ ରହିଛି। ଏହି ସଂସ୍ଥା ପଙ୍ଗପାଳ ଆକ୍ରମଣ ଆଶଙ୍କା ଥିବା ଦେଶଗୁଡ଼ିକ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଉତ୍ପତ୍ତି ସ୍ଥଳରେ ସେମାନଙ୍କ ଗତିବିଧି ଲକ୍ଷ୍ୟ କରି ଅଣ୍ଡା ଓ କୀଟମାନଙ୍କୁ ନଷ୍ଟ କରିବା ଏହି ସଂସ୍ଥାର ଦାୟିତ୍ବ। କିନ୍ତୁ ଏ ବର୍ଷ ପଙ୍ଗପାଳଙ୍କ ଉପଦ୍ରବ ଆଗୁଆ ହୋଇଯାଇଥିବାରୁ ‘ଆନ୍ତର୍ଜାତିକ ପଙ୍ଗପାଳ ଅନୁସନ୍ଧାନ ସଂସ୍ଥା’ ଏହି କାର୍ଯ୍ୟ ଠିକ୍ ଭାବେ କରିପାରି ନାହିଁ ବୋଲି କୁହାଯାଉଛି।

୧୯୬୨ ମସିହାରେ ଭାରତରେ ପଙ୍ଗପାଳ ଆକ୍ରମଣ ବଡ଼ ଆକାରରେ ହୋଇଥିଲା। ପୁଣି ୧୯୯୩ରେ ଏହି ଆକ୍ରମଣ କିଛିଟା ଦେଖା ଦେଇଥିଲା। କେବଳ ନିମ୍ବ ମଞ୍ଜି ଉଦ୍ଧୃତାଂଶ ପ୍ରୟୋଗ କରି ଏଥିରୁ ଆମ ଦେଶ ରକ୍ଷା ପାଇପାରିଥିଲା।

ଅନେକ ବର୍ଷ ହେଲା ଓଡ଼ିଶାରେ ପଙ୍ଗପାଳ ଆକ୍ରମଣ ହୋଇ ନାହିଁ। ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଆଗୁଆ ପଦ‌େକ୍ଷପ ନେବାରେ ଅଭ୍ୟସ୍ତ ନାହାନ୍ତି। ତାହାକୁ ନଜରରରେ ରଖି ଓୟୁଏଟି ପକ୍ଷରୁ ଗତକାଲି ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୀମାବର୍ତ୍ତୀ ରାଜ୍ୟକୁ ପଙ୍ଗପାଳ ଆସି ନାହାନ୍ତି। ଯଦି ସେମାନେ ସୀମା‌େର ପହଞ୍ଚିବେ, ତେବେ ଚାଷୀମାନେ କି କି ପ୍ରତିଷେଧକ ବ୍ୟବସ୍ଥା ନେବେ ଓ ପଙ୍ଗପାଳ ଆକ୍ରମଣ ଆରମ୍ଭ କଲେ କି କି ପଦକ୍ଷେପ ନେବେ, ତାହା ଏହି ମାର୍ଗଦର୍ଶିକା ଅନୁଯାୟୀ କରିବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର