ଲୋକାୟୁକ୍ତଙ୍କ ନିକଟରେ ହାଜର ହେବେ ପୂର୍ବ ଜିଲ୍ଲାପାଳ

ଲୋକାୟୁକ୍ତରେ ମାମଲା ରୁଜୁ, ରଶ୍ମିତାଙ୍କ ଅଡ଼ୁଆ ବଢ଼ିଲା

ରାଉରକେଲା : ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ରାଉରକେଲା ଉନ୍ନୟନ କର୍ତୃପକ୍ଷ (ଆର୍‌ଡିଏ) ଉପାଧ୍ୟକ୍ଷ ଏବଂ ଏବେକାର ନିୟୋଜନ ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ସିଇଓ ରଶ୍ମିତା ପଣ୍ଡାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରାୟ ୭୦ ଲକ୍ଷ ଟଙ୍କା ବିନିଯୋଗରେ ନିଜର ରାଉରକେଲାସ୍ଥ ସରକାରୀ ବାସଭବନ ମରାମତି କରିବା ମାମଲାରେ ଶ୍ରୀମତୀ ପଣ୍ଡା ବେଶ୍‌ ଅପବାଦ ମୁଣ୍ଡେଇବା ସହ ରାତିଅଧିଆ ବଦଳି ହୋଇଥିଲେ। ତେବେ ଏହି ବିଳାସମୟ ବାସଭବନ ମରାମତି ବିବାଦ ତାଙ୍କ ପିଛା ଛାଡ଼ୁନି।

ମିଳିଥିବା ସୂଚନା ଅନୁସାରେ, ସରକାରୀ ଅର୍ଥର ଦୁରୁପଯୋଗ କରିବା ଅଭିଯୋଗରେ ଶ୍ରୀମତୀ ପଣ୍ଡାଙ୍କ ନାଁରେ ମାମଲା (ଏଲ୍‌ୱାଇ-୧୧୩/୨୦୧୯) ରୁଜୁ ହୋଇଛି। ସେ ଆସନ୍ତା ୨୧ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ନିଜର ପକ୍ଷ ରଖିବେ। ଏହି ମାମଲାରେ ଆର୍‌ଡିଏ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିଲେ। କାରଣ ଆର୍‌ଡିଏ ଅଧ୍ୟକ୍ଷ ଅର୍ଥ ଅନୁମୋଦନ କରିବା ପରେ ଏତେ ପରିମାଣର ଅର୍ଥ ବ୍ୟୟ କରାଯାଇଥିବା ଅଭି‌ଯୋଗକାରୀ ସ୍ଥାନୀୟ କଂଗ୍ରେସ ନେତା ତଥା ସୂଚନା ଅଧିକାର କର୍ମୀ ରଶ୍ମିରଂଜନ ପାଢ଼ୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର