୨ଟି ଫ୍ଲାଟ୍‌ରୁ ଅଳଙ୍କାର ସମେତ ସାଢ଼େ ୭ ଲକ୍ଷ ଟଙ୍କା ଚୋରି

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀ ଛକରେ ଥିବା ରିଚମଣ୍ଡ ଆପାର୍ଟମେଣ୍ଟରୁ ସୋମବାର ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। ଚୋରମାନେ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ. ୪-ଏଫ୍‌ ଓ ୨-ଏଫ୍‌ର ଗ୍ରିଲ୍‌ କାଟି ଭିତରୁ ସୁନା ଓ ରୁପା ଅଳଙ୍କାର ସହ ମିଶି ମୋଟ ସାଢ଼େ ୭ ଲକ୍ଷ ଟଙ୍କାର ଚୋରି କରିଥିବା ଜଣାପଡ଼ିଛି। ତେବେ ଚୋରମାନେ ଅନ୍ୟ ଦୁଇଟି ଫ୍ଲାଟ୍‌ (୨-ଜେ ଓ ୪-କେ)ର ଗ୍ରିଲ୍‌ କାଟିବାକୁ ପ୍ରୟାସ କରିଥିଲେ ହେଁ ବିଫଳ ହୋଇଥିଲେ। ଉକ୍ତ ୪ଟି ଫ୍ଲାଟ୍‌ର ମାଲିକମାନେ ଘରେ ନଥିଲେ।

ତେବେ ମଙ୍ଗଳବାର ସକାଳେ ୨ଟି ଫ୍ଲାଟ୍‌ର କବାଟ ଓ ଗ୍ରିଲ ଭଙ୍ଗା ଯାଇଥିବା ଦେଖି ପଡ଼ୋଶୀମାନେ ଫ୍ଲାଟ୍‌ର ମାଲିକମାନଙ୍କୁ ଖବର ଦେଇଥିଲେ। ଖବର ପାଇ ୪-ଏଫର ମାଲିକ ଶଙ୍କର ତାଣ୍ଡିଆ ନିକଟସ୍ଥ ତେଲେନପାଲିରୁ ଆସି ଘର ଭିତରେ ଗହଣା ବାକ୍ସ ପଲଙ୍କ ଉପରେ ପଡ଼ିଥିବା ଓ ଆଲମିରା ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ। ଘରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ସହ ଟଙ୍କା ଚୋରି ହୋଇଥିବା ସେ କହିଛନ୍ତି। ସେହିପରି  ୨-ଏଫ୍‌ରୁ ଅଢେଇ ଲକ୍ଷ ଟଙ୍କାର ଚୋରି ହୋଇଥିବା ମାଲିକ ମନଭୁଲା ପଟେଲ ସୁନ୍ଦରଗଡ଼ରୁ ଆସିବା ପରେ କହିଛନ୍ତି।

ସୂଚନା ପାଇ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ଵର ଭୋଇ, ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଅନୁସନ୍ଧାନ କରି ଫେରି ଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି

ସମ୍ବନ୍ଧିତ ଖବର