ସୁନାହାର ଝାମ୍ପି ନେଉଥିଲେ, ଯୁବକଙ୍କୁ ଗାଁ ଲୋକେ ନିର୍ଧୂମ ଛେଚିଲେ, ଉତ୍ତେଜନା

ବାଲିଅନ୍ତା: ବାଳକାଟି ଫାଣ୍ଡି ରାୟଗୁରୁ ବାସୁଦେଇପୁର ଗ୍ରାମରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ଗ୍ରାମବାସୀ ନିର୍ଧୂମ ପିଟିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେବାକୁ ଯୁବକ ଜଣଙ୍କ ଉଦ୍ୟମ କରୁଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ପରେ ସମସ୍ତେ ମିଳିମିଶି ହାତଗୋଡ଼ ବାନ୍ଧି ପ୍ରବଳ ମାଡ ମାରିବାରୁ ତାଙ୍କ ବାମଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ପରେ ପୁଲିସକୁ ଖବର ଦିଆଯାଇଥିଲା।

ଫାଣ୍ଡି ପୁଲିସ ଆହତ ଯୁବକଙ୍କୁ ଉଦ୍ଧାର କରି ବାଳକାଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସମ୍ପୃକ୍ତ ଯୁବକ ସେହି ଗ୍ରାମର ହୋଇଥିବାରୁ ଅଭିଯୋଗକାରୀ ପରିବାର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ଦେଖାଦେଇଥିଲା। ଫଳରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଛି। ଚିକିତ୍ସିତ ପରେ ସମ୍ପୃକ୍ତ ଯୁବକଙ୍କୁ ଫାଣ୍ଡିରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର