ଏମିତି ବି ଚୋରି ହୁଏ, ‘ମାଉସୀ ଭୋଟ ଦିଅନ୍ତୁ’ କହି ଲୁଟିନେଲେ ସୁନା ହାର ଓ କାନଫୁଲ

କୋଷାଗୁମୁଡ଼ା: ମାଉସୀ କବାଟ ଖୋଲନ୍ତୁ | ଏହି ଦଳରୁ ଆସିଛୁ ଓ ଏହି ଚିହ୍ନରେ ଭୋଟ ଦେବେ କହି କବାଟ ଖୋଲିବାକୁ କହିଲେ | ବିଶ୍ୱାସର ସହ ମହିଳା ଜଣକ କବାଟ ଖୋଲିଥିବାବେଳେ ୩ ଜଣ ଲୁଟେରା ତାଙ୍କୁ ଲୁଟ କରି ଚମ୍ପଟ ମାରିଛନ୍ତି | ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜାହାଜଭଟ୍ଟା ସାହିରେ ଏଭଳି ଏକ ଘଟଣା ଘଟିଛି ଓ ଘଟଣା ବାବଦରେ ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି | ସୂଚନା ମୁତାବକ ଗତକାଲି ଜାହାଜଭଟ୍ଟା ସାହିର ମୁକୁନ୍ଦ ହରିଜନଙ୍କ ସ୍ତ୍ରୀ ପିଙ୍କି ହରିଜନ ଘରେ ଏକୁଟିଆ ଥିବା ସମୟରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଘଣ୍ଟାବେଳେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କ ଘରକୁ ଯାଇ ଆମେ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛୁ ଓ ଆମ ଚିହ୍ନରେ ଭୋଟ ଦେବ କହି କବାଟ ବାଡେଇ ଡାକିଥିଲେ ।

ପିଙ୍କି କବାଟ ଖୋଲିବା ମାତ୍ରେ ତିନି ଜଣ ଦୁର୍ବୁତ୍ତ ପିଙ୍କିଙ୍କ ବେକରେ ଛୁରୀ ଲଗାଇ ଆଲମାରୀର ଚାବି ମାଗିଥିଲେ । ପାଟିକଲେ ଜୀବନରେ ମାରିଦେବୁ କହିବାରୁ ମହିଳା ଜଣକ ଆଲମାରୀ ଚାବି ସେମାନଙ୍କୁ ଦେଇଥିଲେ । ଦୁର୍ବୁତ୍ତମାନେ ଆଲମାରୀରୁ ଦେଢ଼ ଭରି ଓଜନର ସୁନା ହାର, ହଳେ ସୁନାର କାନ ଫୁଲ ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ କୋଡ଼ିଙ୍ଗା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ଓ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ ମିଳିପାରିନାହିଁ ।

ଏନେଇ କୋଡ଼ିଙ୍ଗା ଥାନାରେ କେସ ନମ୍ବର ୧୮/୨୨ ରେ ଏକ ମାମଲା ରୁଜୁ କରାଯାଇଛି । ପ୍ରକାଶ ଥାଉକି କୋଷାଗୁମୁଡ଼ା ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ଚୋରି ଘଟଣା ବୃଦ୍ଧି ପାଇଛି । ଗତ ତିନି ଦିନ ତଳେ କୋଷାଗୁମୁଡ଼ା ଥାନା ମୋତିଗାଁର ଏକ ମନ୍ଦିରରୁ ବଡ଼ ଧରଣର ଚୋରି ହେଇଥିବା ବେଳେ ପୁଣି ଏକ ଡକାୟତି ଘଟଣା କୋଡ଼ିଙ୍ଗାରେ ଘଟିଯାଇଛି ।

ସମ୍ବନ୍ଧିତ ଖବର