ଆଜିଠୁ ମା’ ତାରାତାରିଣୀ ଭକ୍ତଙ୍କୁ ଦର୍ଶନ ଦେବେ

ପୁରୁଷୋତ୍ତମପୁର : ଦୀର୍ଘ ୯ ମାସ କାଳ ପ୍ରତିକ୍ଷାର ଅନ୍ତଃ ଘଟିଛି। କ‌ରୋନା ମହାମାରୀର ପ୍ରାଦୁର୍ଭାବ ପରଠୁ ବନ୍ଦ ରହିଥିବା ଦକ୍ଷିଣଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ପୀଠ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଯେମିତି ମା’ଙ୍କ ଦର୍ଶନ କରିପାରିବେ ଏଥିପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏମର୍ମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଆଜି ଅପରାହ୍‌ଣରେ ପୀଠକୁ ଆସି ସମସ୍ତ ପ୍ରସ୍ତୁତି ତଦାରଖ କରିଥିଲେ। ଭକ୍ତ ଯେମିତି ଶୃଙ୍ଖଳିତ ଭାବେ ସମସ୍ତ ଗାଇଡଲାଇନ୍‌କୁ ମାନି ମା’ଙ୍କ ଦର୍ଶନ କରିବେ, ଏ‌ସଂକ୍ରା‌ନ୍ତରେ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି।

ସାଧାରଣ ଭକ୍ତ ମନ୍ଦିର ସିଂହଦ୍ବାର ଦେଇ ପାହାଚ ଚଢ଼ି ପାହାଡ଼ ଉପରକୁ ଆସି ଦର୍ଶନ କରିପାରିବେ। କିନ୍ତୁ ଭକ୍ତଙ୍କ ନିଜସ୍ବ ଯାନବାହନ ଯାତାୟାତ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ମନ୍ଦିର ଟ୍ରଷ୍ଟ୍ ବୋର୍ଡ଼ ପକ୍ଷରୁ କେବଳ ୨ଟି ବସ୍ ଉପରକୁ ଯିବା ଲାଗି ବ୍ୟବସ୍ଥା ହୋଇଛି। ଏହି ବସ୍ ଭକ୍ତଙ୍କୁ ନେଇ ମନ୍ଦିର ଉପରକୁ ଯିବ, ପୁଣି ତଳକୁ ଆସିବ। ଏଥିସହ ପ୍ରତ୍ୟେକ ଭକ୍ତଙ୍କ ପାଇଁ ମାସ୍କ୍ ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଭକ୍ତ ମାନେ ପୂର୍ବ ଭଳି ଦୀପଦାନ ସହ ଭୋଗ ଅର୍ପଣ କରିପାରିବେ। ମନ୍ଦିରର ଉପରିଭାଗରେ ଶୃଙ୍ଖଳିତ ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟାରିକେଡ଼୍ ବ୍ୟବସ୍ଥା କରାଯାଇଛି। ତେବେ ଗର୍ଭଗୃହକୁ ପ୍ରବେଶ ଲାଗି କଟକଣା ଜାରି ହୋଇଛି। ଭକ୍ତ ମାନେ କେବଳ ଜଗମୋହନ ମନ୍ଦିରରେ ରହି ମା’ଙ୍କ ଦର୍ଶନ କରିପାରିବେ।

ଉପର ଓ ତଳ ଭାଗରେ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ପୁରୁଷୋତ୍ତମପୁର ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଭୋର୍ ସାଢ଼େ ୪ଟାରୁ ମଙ୍ଗଳ ଆଳତି, ଅବକାଶ, ମାଜଣା, ଅଭିଷେକ ଓ ପହିଲି ଭୋଗ ନୀତି ସଂପନ୍ନ ପରେ ସାହାଣମେଲା କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ମାସ ପରେ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଉ ଥିବାରୁ ବିଭିନ୍ନ ରଙ୍ଗବେରଙ୍ଗ ଫୁଲମାଳରେ ସୁସଜ୍ଜିତ କରାଯାଇଛି। ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ନୀତୀଶ କୁମାର ତ୍ରିପାଠୀ ଓ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର