ଆଜି ମହାନଦୀ ମାମଲାର ଶୁଣାଣି
ନୂଆଦିଲ୍ଲୀ :ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ମାମଲାର ଶୁଣାଣି କରିବେ। ଶୁଣାଣିରେ ଉଭୟ ଓଡିଶା ଓ ଛତିଶଗଡ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାର ସ୍ଥିତି ସଂପର୍କରେ ଅବଗତ କରାଯିବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଓଡିଶା ଦ୍ବାରା ଅଣମୌସୁମୀ ଋତୁ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ହୀରାକୁଦ ଜଳ ଭଣ୍ଡାରକୁ ଅତି କମ୍ରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ନେଇ ଅନ୍ତରୀଣ ବ୍ୟବସ୍ଥା ପାଇଁ ଛତିଶଗଡକୁ ପ୍ରସ୍ତାବ ଦିଆଯାଇଛି। ଏତଦ୍ବ୍ୟତୀତ ଟ୍ରିବ୍ୟୁନାଲଙ୍କ ଆସେସରମାନଙ୍କ ଦ୍ବାରା କମନ୍ ଇନ୍ଫର୍ମେଶନ ଫର୍ମାଟ୍ ସଂପର୍କୀତ ପ୍ରସଙ୍ଗ ଭିତ୍ତିକ ତଥ୍ୟକୁ ଦୁଇ ରାଜ୍ୟମାନଙ୍କ ନିକଟରୁ ଗ୍ରହଣ କରାଯାଇଥିବାରୁ ଏହାକୁ ଟ୍ରିବ୍ୟୁନାଲଙ୍କ ନିକଟରେ ଚୁଡାନ୍ତ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବାର ଆଶା କରାଯାଉଛି। ଅପରପକ୍ଷେ ଛତିଶଗଡ ଦ୍ବାରା ଟ୍ରିବ୍ୟୁନାଲଙ୍କ ଆସେସରଙ୍କ ନିକଟରେ କମନ୍ ଇନ୍ଫର୍ମେଶନ୍ ଫର୍ମାଟ୍ରେ ଯେଉଁ ପ୍ରସଙ୍ଗ ଭିତ୍ତିକ ତଥ୍ୟର ବିବରଣୀ ପ୍ରଦାନ କରାଯାଇଛି ସେଥିରୁ ଦୁଇଟି ପ୍ରସଙ୍ଗରେ ଆସେସର ଆପତ୍ତି ଉଠାଇଥିବାର ଜଣାପଡିଛି। ଆସନ୍ତାକାଲିର ଶୁଣାଣିରେ ଟ୍ରିବ୍ୟୁନାଲ ମହାନଦୀ ଜଳ ସଂପର୍କୀତ ତଥ୍ୟକୁ ଉଭୟ ଓଡିଶା ଓ ଛତିଶଗଡକୁ କେନ୍ଦ୍ରିୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ନ ଦେବା ପ୍ରସଙ୍ଗରେ ମଧ୍ୟ ଉଭୟ ରାଜ୍ୟମାନଙ୍କର ଦଲିଲକୁ ବିଚାର କରିପାରନ୍ତି। ଗତ ୭ ମାସରୁ ଉଭୟ ରାଜ୍ୟ ବିଭିନ୍ନ କେନ୍ଦ୍ରିୟ ଏଜେନ୍ସି ମାନଙ୍କଠାରୁ ମହାନଦୀ ଜଳ ସଂପର୍କୀତ ତଥ୍ୟ ଲୋଡିଥିଲେ ମଧ୍ୟ ଦୁଇ ରାଜ୍ୟମାନଙ୍କୁ ଅସଂପୂର୍ଣ୍ଣ ଦସ୍ତାବିଜ ଯୋଗାଇ ଦିଆଯାଇ ଥିବାର ଅଭିଯୋଗ ରହିଛି। ଏଥି ପୂର୍ବରୁ ଟ୍ରିବ୍ୟୁନାଲ ଦୁଇ ରାଜ୍ୟ ମାନଙ୍କ ଦ୍ବାରା ଦାଖଲ କରାଯାଇ ଥିବା ଆବେଦନ ଭିତ୍ତିରେ କେନ୍ଦ୍ରିୟ ସଂସ୍ଥାମାନଙ୍କୁ ନଥିପତ୍ର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।