ହ୍ରାସ ପାଉଛି ମହାନଦୀ ଜଳସ୍ତର, ୨୦ ବର୍ଷ ହେଲା ଖୋଳାହୋଇନି ମୁହାଣ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାବାସୀଙ୍କ ଜୀବନ ରେଖା କୁହାଯାଉଥିବା ମହାନଦୀ ଏବେ ବିପଦରେ। ବର୍ଷା କିଛି ମାସକୁ ବାଦ୍‌ଦେଲେ ଗ୍ରୀଷ୍ମ ଓ ଶୀତ ଋତୁରେ ନଈ ଏକପ୍ରକାର ଶୁଖିଲା ପଡୁଛି। ଏହାର ପ୍ରଭାବ ସ୍ଥାନୀୟ ଲୋକ, କୃଷକ ଓ ମତ୍ସ୍ୟଜୀବୀଙ୍କ ଉପରେ ଗୁରୁତର ଭାବେ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ମହାନଦୀର ଶେଷ ଭାଗ କୁହାଯାଉଥିବା ପାରାଦୀପର ନେହରୁ ବଙ୍ଗଳା ନିକଟରେ ଏହା ଧୀରେଧୀରେ ପୋତି ହୋଇଗଲାଣି। ଏହା ମତ୍ସ୍ୟଜୀବୀମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି।

ପୂର୍ବରୁ ମୁହାଣ ନିକଟରେ କିଛି ସ୍ଥାନରେ ମହାନଦୀର ଜଳସ୍ତର ହାରାହାରି ୪ ମିଟର ଓ ଆଉ କେଉଁଠି ୧୨ ମିଟର ରହୁଥିଲା। କିନ୍ତୁ ଏବେ ଅଧିକାଂଶ ସମୟରେ ଏହି ଜଳସ୍ତର ଗୋଟିଏ ମିଟରରୁ ଅଧିକ କମ୍ ରହୁଛି। ଗୋଟିଏ ପଟେ ମୁହାଣ ପୋତି ହୋଇପଡ଼ୁଥିବା ବେଳେ କୋଡିଏ ବର୍ଷ ହେଲା ମୁହାଣ ଖୋଳା ଯାଇନଥିବାରୁ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି। ବର୍ତମାନ ପାରାଦୀପ ବନ୍ଦର ପକ୍ଷରୁ ମୁହାଣକୁ ସମ୍ପୂର୍ଣ୍ଣ ଖୋଳା ନ ଯାଇ କେବଳ ଟ୍ରଲର ଯାତାୟାତ ପାଇଁ ଏକ ଚ୍ୟାନେଲ ଖୋଳାଯାଉଛି। ଏହି ଚ୍ୟାନେଲକୁ ଚିହ୍ନଟ ନକରିପାରି ଅଧିକାଂଶ ମାଛ ଧରା ଟ୍ରଲର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମହାନଦୀ ମୁହାଣ ପୋତି ହୋଇ ରହିଥିବାରୁ ମାଛ ଧରା ଟ୍ରଲର ଗୁଡ଼ିକ ଅଧିକ ୨୦ କିମି ବରୁଣେଇ ବାଟରେ ସମୁଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହାସହ ବରୁଣେଇ ମୁହାଣ ଭିତରକନିକା ଅଭୟାରଣ୍ୟ ନିକଟରେ ହୋଇଥିବାରୁ ସେଠାରେ ମଧ୍ୟ କଟକଣା ରହୁଛି। ଏଣୁ ଅଧିକାଂଶ ସମୟରେ ବନ ବିଭାଗ ଏହି ବାଟରେ ଯାଉଥିବା ଟ୍ରଲର ଗୁଡ଼ିକୁ ଜବତ କରୁଛି। ମତ୍ସ୍ୟ ବ୍ୟବସାୟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ୫୦ ହଜାରରୁ ଲୋକ ଏଭଳି ସ୍ଥିତିରେ ସମସ୍ୟାରେ ପଡ଼ୁଛନ୍ତି।

ବର୍ତମାନ ମାଛଧରା ବନ୍ଦରରେ ୬୪୩ଟି ଟ୍ରଲର କାରବାର କରୁଛି। ସେଥିରୁ ୩୩୬ ଯନ୍ତ୍ର ଚାଳିତ ଡଙ୍ଗି ରହିଛି। ୧୯୯୯–୨୦୦୦ ମସିହାରେ ଶେଷ ଥର ପାଇଁ ବନ୍ଦର ନ୍ୟାସ ପକ୍ଷରୁ ମହାନଦୀ ମୁହାଣ ଖୋଳାଯାଇଥିଲା। ଏଣୁ ମହାନଦୀ ମୁହାଣ ପୋତି ହୋଇଯିବା ଯୋଗୁଁ ଏତେ ସଂଖ୍ୟାରେ ଟ୍ରଲର କାରବାର କରିବାରେ ମୁସ୍କିଲ ହେଉଛି। ମୁହାଣ ନିକଟରେ ପୂର୍ବରୁ ଡଲଫିନ୍ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିଲେ। କିନ୍ତୁ ବର୍ତ୍ତମାନ ସେଠାରେ ଆଉ ଡଲଫିନ୍ ଦେଖିବାକୁ ମିଳୁ ନାହିଁ। ମହାନଦୀ ସାଉଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ରାଜେଶ ମହାନ୍ତି କହିବା ଅନୁଯାୟୀ ମହାନଦୀର ଜଳସ୍ତର ହ୍ରାସ ପାଇବାର ବିଭିନ୍ନ କାରଣ ରହିଛି। ଛତିଶଗଡ଼ ପାଣି ବନ୍ଦ କରି ରଖିବା ହେତୁ ହୀରାକୁଦରୁ ପୂର୍ବ ଭଳି ପାଣି ମହାନଦୀକୁ ଆସୁନି। ପାଣିରେ ସ୍ରୋତ ଧୀରେ ଧୀରେ ହ୍ରାସ ପାଉଛି। ଏଣୁ ସ୍ବାଭାବିକ ଭାବେ ମହାନଦୀରେ ଜଳସ୍ତର ହ୍ରାସ ପାଉଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର