ଫେବ୍ରୁଆରି ୧ରୁ ହାଇକୋର୍ଟକୁ ଆସିବେ ସବୁ କର୍ମଚାରୀ

କଟକ : ୨୦୨୧, ଫେବ୍ରୁଆରି ୧ ତାରିଖରୁ ହାଇକୋର୍ଟ କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ କାର୍ଯ୍ୟାଳୟରେ ଗତବର୍ଷ କେତେକ କଟକଣା ଜାରି କରାଯାଇଥିଲା। ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟରେ କାମ କରାଯାଉଥିଲା। କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିଲା। ଅନ୍ୟ କର୍ମଚାରୀଙ୍କୁ ସବୁବେଳେ ପ୍ରସ୍ତୁତ ହୋଇରହିବାକୁ କୁହାଯାଇଥିଲା। ଏବେ ସ୍ଥିତିରେ ଉନ୍ନତି ଆସିଥିବା ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଜାନୁଆରି ଶେଷପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ଚାଲିବ ବୋଲି ହାଇକୋର୍ଟଙ୍କ ପୂର୍ବ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ୨୦୨୦, ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତର ରହିବ ବୋଲି ଏ ସଂପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରୁଛନ୍ତି। ଫେବ୍ରୁଆରି ମାସରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଭର୍ଚୁଆଲ ମୋଡ୍‌ରେ ଶୁଣାଣି ଜାରି ରହିବ ନାଁ ପୂର୍ବ ଭଳି ଫିଜିକାଲ ମୋଡ୍‌ରେ ଶୁଣାଣି ହେବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥିତି ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଆଇନଜୀବୀମାନେ ଫିଜିକାଲ ମୋଡ୍‌ରେ ହାଇକୋର୍ଟରେ ମାମଲା ଶୁଣାଣି ସପକ୍ଷରେ ମତ ଦେଇଥିବା ବେଳେ ଏ ନେଇ ବାର୍ ଆସୋସିଏସନ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଅବଗତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର