ଜୁଲାଇ ୪ ତାରିଖରେ ମହାକାଶରେ ଦେଖିବାକୁ ମିଳିବ ମହା(ପୂର୍ଣ୍ଣ) ଗ୍ରହ ମିଳନ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୪ ତାରିଖରେ ମହାକାଶରେ ଏକ ବିରଳ ଘଟଣା ଘଟିବ। ଏହିଦିନ ମହା(ପୂର୍ଣ୍ଣ) ଗ୍ରହ ମିଳନ ଦେଖିବାକୁ ମିଳିବ। ଏ ସମୟରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ୮ଟି ଗ୍ରହ ସହ ବାମନ ଗ୍ରହ ପ୍ଲୁଟୋ ରହିବ। ଏହି ପ୍ରକାରର ଗ୍ରହମାନଙ୍କର ମିଳନ ୧୯୮୨ ମସିହାରେ ସଂଘଟିତ ହୋଇଥିଲା। ଏହି ମହା(ପୂର୍ଣ୍ଣ) ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନଥିଲେ ମଧ୍ୟ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବେ ବ୍ୟବହୃତ ହେଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଥିବା ବ‌େଳେ ପ୍ଲୁଟୋ ମଧ୍ୟ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଛି। ବୁଧ ଓ ଶୁକ୍ର ଗ୍ରହ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଥିବା ବ‌େଳେ ଅନ୍ୟ ୫ଟି ଗ୍ରହ ପୃଥିବୀ କକ୍ଷର ବାହାରେ ରହି ସୂର୍ଯ୍ୟକୁ ପରିକ୍ରମା କରନ୍ତି। ତେବେ ଏଭଳି ବୁଲିବା ସମୟରେ ବେଳେବେଳେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ୩ଟି ଗ୍ରହ ବର୍ଷକୁ ୨ଥର, ୪ଟି ଗ୍ରହ ବର୍ଷକୁ ଥରେ, ୫ଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ୮ଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଥରେ ରହିଥାଆନ୍ତି। କେବେକେବେ‌ ଗ୍ରହମାନେ ଆକାଶର ଏକ ଛୋଟ ଅଞ୍ଚଳରେ ଏକାଠି ହୁଅନ୍ତି। କିନ୍ତୁ ସବୁ ସମୟରେ ଏଗୁଡ଼ିକ ପୃଥିବୀରୁ ଦୃଶ୍ୟମାନ ହୋଇନପାରେ। ଏହି ପ୍ରକାରର ଏକ ଗ୍ରହ ମିଳନ ୨୦୦୨ ମସିହା ଏପ୍ରିଲ୍‌ ୧୮ ତାରିଖରେ ହୋଇଥିଲା। ୨୧୬୧ ଓ ୨୪୯୨ରେ ଏପରି ମହା(ପୂର୍ଣ୍ଣ) ଗ୍ରହ ମିଳନ ପୁନଃ ଦେଖିବାକୁ ମିଳିବ।

ଏଥିସହ ଜୁଲାଇ ୧୯ ତାରିଖ ସୂର୍ଯ୍ୟୋଦୟର ୫୦ ମିନିଟ୍‌ ପୂର୍ବରୁ ଆକାଶରେ ଚନ୍ଦ୍ର ଓ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଦେଖାଯିବ। ଏହି ୫ଟି ଗ୍ରହ ଜୁଲାଇ ୨୫ ତାରିଖ ଯାଏ ଦେଖାଯିବ। ସେହିପରି ଅଗଷ୍ଟ ମାସରେ ସମସ୍ତ ୮ଟି ଗ୍ରହ ଦେଖିବା ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି ହେବ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର