ରକ୍ଷକ ସାଜିଲା ଭକ୍ଷକ: ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ

ଭୁବନେଶ୍ବର: ରକ୍ଷକ ଏଠାରେ ଭକ୍ଷକ ସାଜିଛି। ସମାଜକୁ ସୁରକ୍ଷା ଦେବା ବଦଳରେ ନିଜେ କଳଙ୍କର ଦାଗ ଲଗାଉଛି। ଶିଶୁ ‌‌ଯୌନ ନିର୍ଯାତନା ମାମଲାରେ ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ମହିଳା ପୁଲିସ ବାନ୍ଧିଛି। ଅଭିଯୁକ୍ତ କନଷ୍ଟେବଳ ହେଲେ ରଜନୀକାନ୍ତ ଗମାଙ୍ଗୋ।

ଅଭିଯୋଗ ଅନୁସାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଦୀର୍ଘ ୪ ବର୍ଷ ହେବ ଜଣେ ନାବାଳିକାକୁ ‌‌‌‌ଯୌନ ନିର୍ଯାତନା ଦେଇ ଆସୁଥିଲେ। ନାବାଳିକା ଜଣକ ୧୩ ବର୍ଷ ବୟସରୁ କନଷ୍ଟେବଳଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ। ‌‌ଯୌନ ନିର୍ଯାତନା ସଂପର୍କିତ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ପାଇଁ ନାବାଳିକାକୁ ଧମକ ଦେଉଥିଲେ। ଏପରିକି ଶାରିରୀକ ସଂପର୍କ ରଖିବା ପାଇଁ ମଧ୍ୟ କହୁଥିଲେ। ସେହିପରି କନଷ୍ଟେବଳ ଶ୍ରୀ ଗମାଙ୍ଗୋ ଭିଡିଓ ଡିଲିଟ କରିବା ପାଇଁ ନାବାଳିକାକୁ ୫୦ ହଜାର ଟଙ୍କା ମାଗୁଥିଲେ ବୋଲି ଅଭିଯୋଗ ହୋଇଛି।

କନଷ୍ଟେବଳଙ୍କ ଦ୍ବାରା ଦିଆଯାଇଥିବା ମାନସିକ ନିର୍ଯାତନା ଯେତେ‌େବେଳେ ନିୟନ୍ତ୍ରଣ ବାହାରକୁ ଗଲା, ଶେଷରେ ନାବାଳିକା ଯାଇ ଘଟଣା ସଂପର୍କରେ ଚାଇଲ୍ଡଲାଇନ୍‌କୁ ଜଣାଇଥିଲେ। ଚାଇଲ୍ଡଲାଇନ୍‌ ସହାୟତାରେ ମଙ୍ଗଳବାର ମହିଳା ‌ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଆଜି ଡ୍ୟୁଟି ସମୟରେ ଅଭିଯୁକ୍ତ କନଷ୍ଟେବଳ ରନୀକାନ୍ତ ଗମାଙ୍ଗୋଙ୍କୁ ମହିଳା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଘରୁ ଇଲେକଟ୍ରୋନିକ୍ସ ଯନ୍ତ୍ରପାତି ଜବତ ହୋଇଛି। ଏହି ଅପ୍ରୀତିକର ଘଟଣା ଉପରେ ଡିସିପି ଓ ଏସିପି ଜୋନ-୧ ନଜର ରଖିଛନ୍ତି। ପୁଲିସ ଷ୍ଟେସନରେ ଧାରା ୧୬୧ ଅଧୀନରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ପୀଡିତାଙ୍କୁ ମେଡିକାଲ ପରୀକ୍ଷା କରାଯାଇଛି। ପୁଲିସ ଅଭିଯୁକ୍ତକୁ ‌କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର