ମାଲଦା ଗୁଳିକାଣ୍ଡର ପର୍ଦ୍ଦାଫାସ୍‌: ପିସ୍ତଲ ଓ ଜୀବନ୍ତ ଗୁଳି ସହ ଗ୍ୟାଙ୍ଗ୍‌ ଲିଡର ଗୁଡୁ ଗିରଫ

ବଣାଇଗଡ଼/କୋଇଡ଼ା: ରାଉରକେଲା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଢାବା ମାଲିକ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଡୁ ଓରଫ ସଦାନନ୍ଦ ମାନକିକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ୭.୬ ଏମ୍ଏମ୍ ବୋର୍‌ର ପିସ୍ତଲ ଓ ୮ ରାଉଣ୍ଡ ଜୀବନ୍ତ ଗୁଳି ପୁଲିସ ଜବତ କରିଛି। ଗିରଫ ସଦାନନ୍ଦ ମାଙ୍ଗାନିଜ ଚୋରା ଚାଲାଣର ଗ୍ୟାଙ୍ଗ ଲିଡର ବୋଲି ଜଣାପଡ଼ିଛି। ଗୁଡୁର ସହଯୋଗୀ ପ୍ରକାଶ ପାତ୍ର ଫେରାର ଥିବାବେଳେ ତାଙ୍କୁ ଧରିବାକୁ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।

ଗତ ଫେବ୍ରୁଆରି ୨୬ ତାରିଖ ସଂଧ୍ୟାରେ ମାଲଦାର ଢାବା ମାଲିକ ରମେଶ ଚତମ୍ବା ଓ ତାଙ୍କ ପରିବାର ହଟେଲ୍ ବନ୍ଦ କରି ମାଘେ ପରବ ମନାଇବାକୁ ଓରାଘାଟ ଯାଇ ସନ୍ଧ୍ୟାରେ ହୋଟେଲକୁ ଫେରିଥିଲେ। ସେହି ସମୟରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକ୍‌ରେ ଆସି ରମେଶଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ରମେଶଙ୍କ ଛାତିରେ ଗୁଳି ବାଜିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସହଯୋଗୀ ରାମ ପୂ୍ର୍ତୀଙ୍କ ଡାହାଣ କାନ୍ଧରେ ଗୁଳି ବାଜି ଗୁରୁତର ହୋଇଥିଲେ ।

ଦୀର୍ଘ ୧୬ ଦିନ ପରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିବା ସହ ଜଣକୁ ଗିରଫ କରିଛି। ମାଙ୍ଗାନିଜ ଚୋରା ଚାଲାଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁ‌କେଶ କୁମାର ଭାମୁ ସୂଚନା ଦେଇଛନ୍ତି। ମୃତ ରମେଶ ଚତମ୍ବା ମାଙ୍ଗାନିଜ ଚୋରା ଚାଲାଣର ମୁଖ୍ୟ ଇନଫର୍ମର ଥିଲା। ତା’ କଥାରେ ଚୋରି ହେଉଥିଲା। ପୂର୍ବ ଶତ୍ରୁତା ଓ ଚୋରା ଚାଲାଣରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମୁଖ୍ୟ ଗୁଡୁ ଓରଫ ସଦାନନ୍ଦ ମାନକି, ଯାହାର ଘର ଯୋଡ଼ା ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ସେ ଆଉ ଜଣେ ସହଯୋଗୀ ପ୍ରକାଶ ପାତ୍ର (ଝାଡ଼ଖଣ୍ଡ ) ଢ଼ାବା ମାଲିକଙ୍କଚ ଗୁଳି କରି ହତ୍ୟା କରିଥିଲେ। ଏବେ ସଦାନନ୍ଦ ଧରା ପଡ଼ିଛି, ପ୍ରକାଶ ଫେରାର ଥିବାରୁ ତଦନ୍ତ ଜାରି ରହିଥିବା ଏସ୍ ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ​ଯେ କୋଇଡ଼ା ବ୍ଲକ୍‌ରେ ବନ୍ଦ ପଡ଼ିଥିବା ଖଣିଗୁଡ଼ିକରୁ ବ୍ୟାପକ ମାତ୍ରାରେ ମାଙ୍ଗାନିଜ ଚୋରି ହେଉଥିବାର ଖବର ‘ସମ୍ବାଦ’ରେ ପୂର୍ବରୁ ଏକାଧିକ ଥର ପ୍ରକାଶିତ ହୋଇଛି। ଏହି ଚୋରିରେ ଅନେକ ଗ୍ୟାଙ୍ଗ ସଂପୃକ୍ତ ଅଛନ୍ତି, ଯେଉଁମାନେ କୋଇଡ଼ାରୁ ଛୋଟ ବଡ଼ ଚାରିଚକିଆ ଯାନରେ ଚୋରା ମାଙ୍ଗାନିଜ ନେଇ କେନ୍ଦୁଝର ଜିଲ୍ଲା ସୀମାକୁ ପଶିଯାଇ ସେଠାରୁ ନିଜ ଗନ୍ତବ୍ୟ ପଥରେ ଯାଉଛନ୍ତି। ମାଙ୍ଗାନିଜ୍‌ର ବଜାର ମୂଲ୍ୟ ଟନ୍‌ ପ୍ରାୟ ୧ ଲକ୍ଷ ଟଙ୍କା। ଛୋଟ ଚାରି ଚକିଆ ଯାନରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ମାଙ୍ଗାନିଜ ଚୋରି କରିବା ସହଜ। ଏହାର ସୁଯୋଗ ନେଇ ଖଣି ମାଫିଆ କିଛି ବର୍ଷ ଧରି ବନ୍ଦ ପଡିଥିବା ଖଣିଗୁଡ଼ିକରୁ ମାଙ୍ଗାନିଜ ଚୋରିକରି କେନ୍ଦୁଝର ପଟ ରାସ୍ତାରେ ରାଜ୍ୟ ଓ ରାଜ୍ୟ ବାହାକୁ ଚାଲାଣ କରୁଛନ୍ତି। ରାତିରେ ଶଗଡଭଙ୍ଗା, ଗିଡେଇ, ପାନପୋଷିଆ, ସର୍ଗୀଗଡ, ପାଟମୁଣ୍ଡା ଓ ପୋଡାଡାହି ଆଦି ଅଞ୍ଚଳରୁ ଟ୍ରକ ମାଙ୍ଗାନିଜ ଚାଲାଣ ହେଉଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିୟମିତ ଭାବେ କାରଣରୁ ହିଂସାକାଣ୍ଡ ଘଟୁଛି। ଢ଼ାବା ମାଲିକଙ୍କୁ ହତ୍ୟା ପଛରେ ମଧ୍ୟ ଏହି ମାଙ୍ଗାନିଜ ଚୋରା ଚାଲାଣ ମାମଲା ଥିବାର ସନ୍ଦେହ ମଧ୍ୟ ଏକମାତ୍ର ‘ସମ୍ବାଦ’ରେ ହିଁ ପ୍ରକାଶିତ ହୋଇଥିଲା। ତେବେ ଖଣି ବିଭାଗ ତଥା ପୁଲିସର କିଛି ସ୍ଥାନୀୟ କର୍ମଚାର ଏହି ଚୋରା କାରବାରରେ ସଂପୃକ୍ତ ରହିଥିବା ବା ପରୋକ୍ଷରେ ଏହାକୁ ସମର୍ଥନ କରୁଥିବାର ମଧ୍ୟ ଅଭିଯୋଗ ହୁଏ। ଏହି ଅସାଧୁ କର୍ମଚାରୀମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର