ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ହ୍ରାସ ପାଇଛି

ଭୁବନେଶ୍ୱର: ମଶା ଓ ଜଳ ବାହିତ ରୋଗ ନିୟନ୍ତ୍ରଣରେ ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟକୁ ଉଲ୍ଲେଖନୀୟ ସଫଳତା ମିଳିଛି। ମ୍ୟାଲେରିଆ ୮୮%, ଡେଙ୍ଗୁ ୫୦% ଓ ଜାପାନୀ ଜ୍ୱର ୬୭% ହ୍ରାସ ପାଇଛି। ଆଜି ସଚିବାଳୟରେ ଅନୁଷ୍ଠିତ ଆନ୍ତଃବିଭାଗୀୟ ସମନ୍ଵୟ କମିଟି ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ଵୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା ଜଣାଇଥିଲେ, ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମ୍ୟାଲେରିଆରେ କେହି ମୃତ୍ୟୁବରଣ କରିନାହାନ୍ତି। ସେହିପରି ୨୦୧୬ରେ ମୋଟ୍‌ ୮,୩୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ଡେଙ୍ଗୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୧୫୮ ଓ ୬ କୁ କମିଯାଇଥିଲା। ଏହା ଫଳରେ ରାଜ୍ୟରେ ଡେଙ୍ଗୁ ସ୍ଥିତିରେ ୫୦% ହ୍ରାସ ଘଟିଥିଲା। ୨୦୧୬ ମସିହାରେ ଜାପାନୀ ଜ୍ୱରରେ ୨୪୨ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୩୯ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ। ୨୦୧୭ ମସିହାରେ ୭୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ କେହି ମୃତ୍ୟୁବରଣ କରି ନ ଥିଲେ। ୨୦୧୮ରେ ବି ଜାପାନୀ ଜ୍ୱରରେ କେହି ମୃତ୍ୟୁ ମୁଖରେ ପଡ଼ି ନାହାନ୍ତି। ସେହିପରି ଡାଇରିଆ ଓ ହେପାଟାଇଟ୍‌ସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ସଫଳତା ମିଳିଛି। ସାର୍ବଜନୀନ ଟିକାଦାନ, ଶିଶୁମାନଙ୍କୁ ରୋଟାଭାଇରସ୍‌ ଟିକାକରଣ, ହେପାଟାଇଟିସ୍‌ ଟିକାକରଣ, ମଶା ନିରୋଧକ ମଶାରୀ ବଣ୍ଟନ, ଓଆର୍‌ଏସ୍‌ ଓ ଜଳ ବିଶୋଧନ ବଟିକା ବଣ୍ଟନ ଏବଂ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ବୈଠକରେ ପରିବେଶ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌, ସ୍ୱାସ୍ଥ୍ୟ ବିଭାଗର ସଚିବ ପ୍ରମୋଦ ମେହେର୍ଦ୍ଦା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଶାଳ ଗଗନ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର