ପୋଲାଭରମ ଯୋଗୁ ଫୁଲୁଛି ଗୋଦାବରୀ ନଦୀ: ଆନ୍ଧ୍ର ସହ ମାଲକାନଗିରି ଓ ଛତିଶଗଡ଼ର ଯୋଗାଯୋଗ ବିଚ୍ଛିନ୍ନ

କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ

କାଲିମେଳା : ଉପରମୁଣ୍ତରେ ବର୍ଷା ଲାଗି ରହିଥିବାରୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ। ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି। ଯାହା ଫଳରେ କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଗୋଦାବରୀ ନଦୀ ଅସ୍ବାଭାବିକ ଭାବେ ଫୁଲିବା ଯୋଗୁ ଏଥିରେ ମିଶିଥିବା ସାବେରୀ ଓ ସିଲେରୁ ନଦୀର ଜଳପତ୍ତନ ବି ବୃଦ୍ଧି ପାଇବାରେ ଲାଗିଛି। ଗୋଦାବରୀ ନଦୀର ତଳମୁଣ୍ତରେ ଆନ୍ଧ୍ରପ୍ରଦେଶର ବହୁମୁଖୀ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। କାରଣ ଗୋଦାବରୀ ନଦୀରେ ନିର୍ମାଣାଧୀନ ଏହି ପ୍ରକଳ୍ପ ପାଇଁ ବନ୍ୟାଜଳକୁ ଅଟକାଇ ସ୍ପିଲ୍‌ ୱେ ମାଧ୍ୟମରେ ଛଡ଼ାଯିବାକୁ ଯୋଜନା କରାଯାଇଛି। ତେଣୁ ନଦୀର ପ୍ରବାହରେ ଗତିରୋଧ ହୋଇ ଗୋଦାବରୀ ନଦୀର ବନ୍ୟାଜଳ ପଛକୁ ଫେରିବା ଆରମ୍ଭ କରିଛି। ପୋଲାଭରମ୍ ଠାରୁ ୪୦ କିମି ଦୂର କୁନାଭରମ୍ ପର୍ଯ୍ୟନ୍ତ ପଛୁଆ ପାଣି ଆସିଯାଇଥିବା ସୂଚନା ମିଳିଛି। ଏଥିଯୋଗୁ ସିଲେରୁ ଓ ସାବେରୀ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକ୍‌ର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ମୋଟୁ ତହସିଲ। ମୋଟୁ ଅଞ୍ଚଳର ଗୋଟିଏ ପଟେ ସିଲେରୁ ନଦୀ ଏବଂ ଅନ୍ୟପଟେ ଅନ୍ୟପଟେ ସାବେରୀ ନଦୀ ପ୍ରବାହିତ ହେଉଛି। ଏହି ଦୁଇ ନଦୀ ଆନ୍ଧ୍ରର ଗୋଦାବରୀ ନଦୀରେ ମିଶିଛି। ଗୋଦାବରୀ ନଦୀ ଫୁଲିଲେ ଏହି ଦୁଇ ନଦୀର ବନ୍ୟାଜଳ ନିଷ୍କାସିତ ହୋଇ ନପାରି ଫୁଲିବା ଆରମ୍ଭ କରିଥାଏ। ୧୯୮୬ ଓ ୨୦୦୬ ମସିହାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୋଟୁ ଅଞ୍ଚଳ ସଂପୂର୍ଣ୍ଣ ବୁଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ହୋଇନଥିଲା। ପ୍ରକଳ୍ପ ନ ହୋଇ ଯଦି ମୋଟୁ ଅଞ୍ଚଳ ବୁଡ଼ିଯାଇଥିଲା, ଏବେ ପୋଲାଭରମ୍ ପ୍ରକଳ୍ପ ହେବାପରେ ମୋଟୁ ଅଞ୍ଚଳର ଅବସ୍ଥା କିପରି ହେବ ତାହା କଳ୍ପନା ବାହାରେ ବୋଲି ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ‘ପାପ’ର ସଭାପତି ପ୍ରଭାକର ହନ୍ତାଳ କହିଛନ୍ତି।

ପ୍ରତିବର୍ଷ ସିଲେରୁ ଓ ସାବେରୀ ନଦୀରେ ବନ୍ୟାଜଳ ଆସିଲେ ମୋଟୁବାସୀଙ୍କ ମନରେ ଛନକା ପଶିଥାଏ। ବନ୍ୟା ଆଶଙ୍କା ଦୃଷ୍ଟିରୁ ମୋଟୁ ସାବେରୀ ନଦୀ ଘାଟରେ ଥିବା ଦୋକାନ ଓ ହୋଟେଲଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି। ସେହିପରି ନଦୀ ଘାଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହି ନଦୀ ଘାଟ ଦେଇ ଜିଲ୍ଲାର ଶହ ଶହ ଲୋକ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଡଙ୍ଗାରେ ଯାତାୟାତ କରିଥାନ୍ତି।

ସେହିପରି ମୋଟୁ ମୁଗି ପଏଣ୍ଟରେ ଥିବା ମଧୁସୂଦନ ପାର୍କ ମଧ୍ୟ ବିପଦ ଘେରରେ ରହିଛି। ଏହାର ଦୁଇ ପାର୍ଶ୍ବରେ ଥିବା ସିଲେରୁ ଓ ସାବେରୀ ନଦୀର ବନ୍ୟାଜଳରେ ମାଟି ଖାଇଯିବା ସହିତ ଏହା ନଦୀରେ ସଂପୂର୍ଣ୍ଣ ବୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ସେହିପରି ନଦୀକୂଳିଆ ଗ୍ରାମ ଗୁଡ଼ିକ ମଧ୍ୟ ବୁଡ଼ିଯାଇ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ତେଣୁ ଚାଷୀମାନେ ବନ୍ୟା ଆଶଙ୍କାରେ ଚଳିତ ବର୍ଷ କେମିତି ଚାଷ କରିବେ ମୋଟୁ ଅଞ୍ଚଳର ଚାଷୀ ପି. ରମେଶ କୁମାର ଓ ଏଡି ଦେବ ଦାନମ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର