ଲାଇନ୍ ସଜାଡ଼ିବା ବେଳେ ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

ସୋର: ସୋର ଥାନା ଅଧୀନ ଗୁଡ୍ ପଞ୍ଚାୟତ ଅର୍ନ୍ତଗତ କେଶଗଢ଼ିଆ ଗ୍ରାମରେ ଖୁଣ୍ଟରେ ଚଢ଼ି ଏଲ୍‌ଟି ଲାଇନ୍ ସଜାଡୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଆଜି ପୂର୍ବାହ୍ନରେ ଏହି ବିଦ୍ୟୁତ୍ ସରବରାହରେ ସମସ୍ୟା ଥିବାରୁ ବିଭାଗୀୟ କର୍ମଚାରୀ ଜଳେଶ୍ୱର ଅଞ୍ଚଳର ପ୍ରଣବ କୁମାର ଜେନା ଓ ସୁଆଁ ଅଞ୍ଚଳର ଦିଲ୍ଲୀପ କୁମାର ସାହୁ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେବା ପରେ ଡାକ୍ତର ସେଠାରେ ପ୍ରଣବଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଏକ ମାମଲା ରୁଜୁ କରି ପ୍ରଣବଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରଣବ ବାପାମାଆଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ପ୍ରାୟ ୪ମାସ ତଳେ ଚାକିରିରେ ଯୋଗ ଦେଇଥିଲେ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଡ୍ୟୁଟିରେ ଥିବା ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଜଣଙ୍କ ଜୀବନ ଚାଲିଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର