ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚଣ୍ଡିଖୋଲ: ଭୁବନେଶ୍ୱରଠାରେ ଏକ ସଡ଼କ ଦୁର୍ଘଟଣାରେ ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତ ଆମ୍ବସୌରୀ ଗ୍ରାମର ଅମିତ ନାୟକ (୩୨)। ସେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଅମିତ ତାଙ୍କ ବାଇକ୍‌ ଯୋଗେ ଅଫିସକୁ ଯାଉଥିବା ବେଳେ ତାଙ୍କୁ ଏକ  ଗାଡି ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ଅମିତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଆମ୍ବସୌରୀ ଗ୍ରାମରେ ଶବ ପହଞ୍ଚିବାପରେ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରିଥିଲେ। ଅମିତଙ୍କ ଅକାଳ ବିୟୋଗ ଖବର ପାଇ ବିଧାୟକ ଅମର ପ୍ରସାଦ ଶତପଥୀ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି କଂଗ୍ରେସ ନେତା ଅଜୟ କୁମାର ସାମଲ, ସରପଞ୍ଚ ଅରୁନ୍ଧତୀ ଖୁଣ୍ଟିଆ, ସମିତି ସଭ୍ୟ ସୁରେଶ ଚନ୍ଦ୍ର ନାୟକ, ଅନନ୍ତ ଦେବଦର୍ଶୀ, ସାମ୍ବାଦିକ ବୀରେନ୍ଦ୍ର କୁମାର ନାୟକ, ଆଇନଜୀବୀ ପ୍ରତାପ ନାୟକ ଓ ମଥୁରୀ ନାୟକ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର