ଭବାନୀପାଟଣା : ଗଛ ଡାଳ କାଟୁଥିବା ବେଳେ ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାମଠଣା ନିକଟସ୍ଥ ଉଦିତନାରାୟଣପୁର ଠାରେ ଗଛ ଡାଳ କାଟୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୁନାଗଡ଼ ଥାନା ଅନ୍ତର୍ଗତ ଆଟିଗାଁ ପଞ୍ଚାୟତ ବାଗଡୋଙ୍ଗରି ଗ୍ରାମର ଜୟଶଙ୍କର ଲହଜଳ(୩୦) ୱେସ୍କୋ ଠିକାଦାର ତାପସ ପ୍ରଧାନଙ୍କ ପାଖରେ ରହି ଗାଁ ମାନଙ୍କର ବିଦ୍ୟୁତ ତାର ସଂଯୋଗ ପାଇଁ ଗଛ ଡାହି କାଟିବା କାମ କରୁଥିଲେ । ଜୟଶଙ୍କର ଗତ ଶନିବାର ଦିନ କାମଠଣା ନିକଟସ୍ଥ ଉଦିତ ନାରାୟଣପୁର ଠାରେ ବିଦ୍ୟୁତ ତାର ସଂଯୋଗ ନିମନ୍ତେ ଗଛ ଡାହି କାଟୁଥିଲେ । ଏହି ସମୟରେ ୧୧ କେବି ବିଦ୍ୟୁତ ସଂସ୍ପର୍ଶରେ ଆସି ଜୟଶଙ୍କର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜୟଶଙ୍କର ଲହଜଳଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଭବାନୀପାଟଣା ସଦରଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରିଥିଲେ । ପରେ ଶବକୁ ବ୍ୟବଚ୍ଛେଦ କରି ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଜଣେ ନିରୀହ ଗରିବ ଲୋକଙ୍କ ଜୀବନ ଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ବିଦ୍ୟୁତ କାଟ ନ କରି ତାର ଲାଗିଥିବା ଗଛକୁ ଚଢି ଡାହି କାଟିବା ପାଇଁ ସମ୍ପୃକ୍ତ ଠିକାଦାର ନିର୍ଦ୍ଦେଶ ଦେବା ନେଇ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ଜୟଶଙ୍କରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର