ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ଜଳସ୍ତର ବଢୁଛି : ଝାଡ଼ଖଣ୍ଡରୁ ମାଡ଼ି ଆସୁଛି ପାଣି, ୩ଟି ଗେଟ୍‌ ଖୋଲିଲା ମନ୍ଦିରା ଡ୍ୟାମ୍‌

ରାଉରକେଲା : ତିନି ଦିନ ଧରି ଲଗାଣ ବର୍ଷା ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗକୁ ଓଲଟପାଲଟ କରିଦେଇଛି। ପାଣି ଅଭାବରୁ ଯେଉଁ କ୍ଷେତ ଫାଟି ଆଁ କରିଥିଲା, ତାହା ପାଣିରେ ବୁଡ଼ିଛି। ଶୁଖିଲା ପଡ଼ିଥିବା ନାଳ ଓ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

ଗତ ସୋମବାର ଅପରାହ୍‌ଣରୁ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଛି। ଝିପିଝିପି ବର୍ଷା ସହିତ ମଝିରେ ମଝିରେ କିଛି ସମୟ ପାଇଁ ମୂଷଳ ଧାରାରେ ବର୍ଷା ହେବାରୁ ସବୁ ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନାଳ ପାଣି ଜିଲ୍ଲାର ୩ ନଦୀ ଶଙ୍ଖ, କୋଏଲ ଓ ବ୍ରାହ୍ମଣୀରେ ପ୍ରବେଶ କରିବା ପରେ ଜଳପତ୍ତନ ବଢିଛି। ସୁନ୍ଦରଗଡ଼ ଭଳି ଝାଡ଼ଖଣ୍ଡର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶଙ୍ଖ ଓ କୋଏଲରେ ବନ୍ୟା ଜଳ ଆସିଛି। ଆଜି ସଂଧ୍ୟା ସୁଦ୍ଧା ଏହି ଦୁଇ ନଦୀର ଜଳ ଅନେକ ସ୍ଥାନରେ କୂଳକୁ ଛୁଇଁଛି। ଶଙ୍ଖ ନଦୀରୁ ମନ୍ଦିରା ଡ୍ୟାମ୍‌କୁ ଅଧିକ ପରିମାଣରେ ଜଳ ପ୍ରବେଶ କରିବାରୁ ୩ଟ ଗେଟ୍‌ ଖୋଲାଯାଇଛି। ତେଣୁ ଡ୍ୟାମ୍‌ର ତଳ ମୁଣ୍ଡରେ ମଧ୍ୟ ନଦୀର ଜଳପତ୍ତନ ବଢୁଛି। ଶଙ୍ଖ ଓ କୋଏଲ ନଦୀ ଜଳସ୍ତର ବଢିବା ଯୋଗୁଁ ରାଉରକେଲାଠାରେ ଏହି ଦୁଇ ନଦୀ ମିଶିଯାଇ ସୃଷ୍ଟି ହୋଇଥିବା ବ୍ରାହ୍ମଣୀ ନଦୀର ଜଳପତ୍ତନ ମଧ୍ୟ ବଢିଛି। ତେବେ ଏପର୍ଯ୍ୟନ୍ତ ବ୍ରାହ୍ମଣୀର ଜଳସ୍ତର ବିପଦସଙ୍କୁଳ ଚିହ୍ନକୁ ଛୁଇଁ ନାହିଁ। ତେଣୁ ନଦୀ କୂଳ କିମ୍ବା ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ କୌଣସି ବିପଦ ସୃଷ୍ଟି କରିନାହିଁ। ତେବେ ବର୍ଷା ଲାଗି ରହିଲେ ବ୍ରାହ୍ମଣୀ ତଳ ଅଞ୍ଚଳରେ ଅନେକ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର