ବେନ୍ଦେର ଜଂଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ

କ୍ୟାମ୍ପ ଠାବ, ୨ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ

ପାଟଣାଗଡ଼/ଲାଠୋର/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ବେନ୍ଦର ଗାଁ ନିକଟରେ ସୋମବାର ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ସେଠାରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି ଏବଂ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ‌ବେନ୍ଦେର ଜଙ୍ଗଲରେ ମାଓବାଦୀମାନଙ୍କ ଉପସ୍ଥିତି ସଂପର୍କରେ ପୁଲିସ ସୂଚନା ପାଇଥିଲା। ସୋମବାର ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନ୍‌ମାନେ ଏ ଅଞ୍ଚଳରେ କମ୍ବିଂ କରିଥିଲେ। ଏହି ସମୟରେ ୧୫ରୁ ୨୦ ମିନିଟ୍‌ ଗୁଳିବିନିମୟ ହୋଇଥିବା ଲାଠୋର ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ଏହାପରେ ଘଞ୍ଚ ଜଙ୍ଗଲରେ ମାଓକ୍ୟାମ୍ପ୍‌ ଠାବ କରାଯାଇଥିଲା। ଉକ୍ତ ମାଓ କ୍ୟାମ୍ପରୁ ଦରି, ପୋଷାକ, ସ୍ବେଟର, କମ୍ବଳ, ‌ପୋଷ୍ଟର, ସୋଲାର ପ୍ଲେଟ୍‌, ଲାଇଟ୍‌, ସାବୁନ, ତେଲ, ଲୁଣ, ଅଟା, ହଳଦୀ, ମସଲା, ଡେକଚି, ବାଲଟି, ଖାଦ୍ୟ ସାମଗ୍ରୀ ଆଦି ଜବତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପୁଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆ ଯାଇନାହିଁ। ଏଠାରେ ପ୍ରକାଶ ଥାଉ କି, ବେନ୍ଦେର ପଞ୍ଚାୟତର ସମିତି ସଭ୍ୟ ଲକ୍ଷେ ପଧାନଙ୍କ ମୃତ୍ୟୁ ହୋଇଯାଇଥିବାରୁ ଏହି ପଦ ପାଇଁ ଆସନ୍ତା ୧୧ ତାରିଖରେ ଉପନିର୍ବାଚନ ହେବ। ଏଭଳି ସମୟରେ ମାଓବାଦୀଙ୍କ ଉପସ୍ଥିତି ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ମାଓବାଦୀମାନେ ଖପ୍ରାଖୋଲ ବ୍ଲକ୍‌ର ବିଭିନ୍ନ ଗାଁରେ ୧୦ ବର୍ଷରୁ ଅଧିକ ହେଲା ବୈଠକ କରୁଥିଲେ। ବିଭିନ୍ନ ସମୟରେ ମାଓବାଦୀମାନେ କ୍ୟାମ୍ପ ମାନ କରୁଥିଲେ। ପ୍ରଥମ କରି ୨୦୧୧ ମସିହା ଅଗଷ୍ଟ ୧୪ ତାରିଖ ରାତିରେ ଖପ୍ରାଖୋଲ ‌ବ୍ଲକ ତେଲେନପାଲି ଗ୍ରାମରେ ସେ ଅଞ୍ଚଳର ତତ୍କାଳୀନ ବିଜେଡି ନେତା ରାଜକିଶୋର ପଣ୍ଡାଙ୍କୁ ଗୁଳିକରି ହତ୍ୟା କରିଥିଲେ। ପରେ ବ୍ଲକର ଆଭ୍ୟନ୍ତରିଣ ଅଞ୍ଚଳଗୁଡ଼ିକରେ ବର୍ବର କାଣ୍ଡ ମାନ ମଧ୍ୟ ଭିଆଇଥିଲେ। ଗତ ବର୍ଷେ କାଳ ହେଲା ଏ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଜଣା ପଡ଼ୁ ନଥିଲା। ବର୍ତ୍ତମାନ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ମାଓକ୍ୟାମ୍ପ ଠାବ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର