ବଳ ଗୋଟାଉଛନ୍ତି ମାଓବାଦୀ

ପ୍ରତିହତ ପାଇଁ ପ୍ରସ୍ତୁତ ଅଛୁ: କନ୍ଧମ‌ାଳ ଏସ୍‌.ପି

ତୁମୁଡ଼ିବନ୍ଧ : କନ୍ଧମାଳର ମାଓ ପ୍ରଭାବିତ ଅଞ୍ଚଳରେ ପୁଲିସ କମ୍ବିଂ ଅପରେସନ୍ ଜାରି ରଖିଛି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ୍ ଠାବ କରାଯାଇଛି। ପୁଲିସ ଗୁଳିରେ ମାଓବାଦୀ ବି ମରୁଛନ୍ତି। ହେଲେ ପଛକୁ ହଟୁନାହାନ୍ତି ମାଓବାଦୀ। କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ଛାଡୁନାହାନ୍ତି। ମଝିରେ ମଝିରେ ନିଜର ଉପସ୍ଥିତି ଜାହିର କରିବାକୁ ହିଂସା ଘଟାଉଛନ୍ତି। କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ସୀମାନ୍ତ ଜଙ୍ଗଲରେ ଘୁରି ବୁଲିବା ସହ ପ୍ରତି‌ଶୋଧ ପାଇଁ ସୁଯୋଗ ଉଣ୍ଡୁଛନ୍ତି। ଦୁଇ ଜଣଙ୍କୁ ପୁଲିସ ଇନ୍‌ଫର୍ମର୍‌ ଦର୍ଶାଇ ହତ୍ୟା କଲା ପରେ ମାଓବାଦୀଙ୍କ ମନୋବଳ ବଢ଼ିଥିବା ଅନୁମାନ କରାଯାଉଛି। ସେମାନେ ଅଧିକ ପ୍ରତିହିଂସାପରାୟଣ ହୋଇ ଆଗକୁ ବଡ଼ ଅଘଟଣ ଘଟାଇବା ଆଶଙ୍କା ଏଡ଼ାଇ ଦେଇ ହେଉନି।

ତେବେ କନ୍ଧମାଳ ପୁଲିସର ଲଗାତାର କମ୍ବିଂ ଅପରେସନ୍‌ ଜାରି ରହିଛି। ନିରୀହ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର କହି ହତ୍ୟା କରିବା ନିନ୍ଦନୀୟ ବୋଲି କନ୍ଧମାଳ ଏସ୍‌.ପି. ଭିନୀତ୍‌ ଅଗ୍ରୱାଲ୍‌ କହିଛନ୍ତି। ମାଓବାଦୀଙ୍କ ଗଡ଼ ଭୁଶୁଡୁଛି। ସାଧାରଣ ଲୋକଙ୍କ ଅସ୍ଥା ପାଉ ନଥିବାରୁ ଏପରି ନିରୀହ ଆଦିବାସୀ ଯୁବକଙ୍କୁ ହତ୍ୟା କରୁଛନ୍ତି ଓ ଲୋକଙ୍କୁ ଭୟଭୀତ କରୁଛନ୍ତି। ସାଧାରଣ ଲୋକ ଭୟଭୀତ ନହେବା ପାଇଁ ଅଶ୍ବାସନା ଦେବା ସହ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କୁ ପ୍ରତିହତ କରିବା ପାଇଁ ପୂର୍ବ ଭଳି କମ୍ୱିଂ ଅପରେସନକୁ ଜୋର୍‌ଦାର୍‌ କରଯାଇଛି। ଏହାସହ ମାଓବାଦୀଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖାଯାଇଛି ବୋଲି ଏସ୍‌.ପି କହିଛନ୍ତି।

ଗତ ମାସକ ମଧ୍ୟରେ ତିନି ତିନିଥର ମାଓବାଦୀ ଓ ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ବହୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। କିନ୍ତୁ ପ୍ରତିଥର ସେମାନେ ଛତ୍ରଭଙ୍ଗ ଦେଇ ପୁଲିସ ହାବୁଡ଼ରୁ ଖସିଯିବାରେ ସକ୍ଷମ ହୋଇଛନ୍ତି। ଗୋଟିଏ ଜଙ୍ଗଲରୁ ଆଉ ଏକ ଜଙ୍ଗଲକୁ ଯାଇ କ୍ୟାମ୍ପ୍‌ କରି ହିଂସା ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ସମୟରେ ପୋଷ୍ଟର୍‌ ମାରି ଓ ଗଛ କାଟି ରାସ୍ତା ଅବରୋଧ କରି ନିଜ ସ୍ଥିତି ଜାହିର କରୁଛନ୍ତି। ଗତ ଦୁଇ ଦିନ ତଳେ ପ୍ରତିଶୋଧ ପରାୟଣ ହୋଇ ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡ଼ା ଗ୍ରାମରେ ପଶି ସ୍ଥାନୀୟ ସରପଞ୍ଚଙ୍କ ପୁଅ ସମେତ ଦୁଇ ଜଣକୁ ପୁଲିସ ଇନଫର୍ମର ଦର୍ଶାଇ ଘରୁ ଡାକି ଆଣି ରକ୍ତପାତ ଭିଆଇବା ପରେ ଛାଡ଼ିଯାଇଥିବା ପୋଷ୍ଟର୍‌ ମାଧ୍ୟମରେ ଚେତାବନୀ ଦେଇଯାଇଛନ୍ତି। ପୁଲିସ ଇନଫର୍ମର ମାନେ ଯଦି ୧୫ଦିନ ମଧ୍ୟରେ ଜନ ଅଦାଲତରେ ଆତ୍ମସମର୍ପଣ ନକରନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଏଥିରେ ଧମକ ଦେଇଛନ୍ତି। ଏହି ଘଟଣା ପରେ ବେଲଘର, ଝିରିପାଣି, ଭଣ୍ଡରଙ୍ଗି ଓ ଲଙ୍କାଗଡ଼ ସମେତ ଚାରି ପଞ୍ଚାୟତର ଲୋକେ ଏବେ ଗାଁ ଓ ଘର ଛାଡ଼ି ଜଙ୍ଗଲକୁ କିମ୍ବା କୌଣସି କାମରେ ବାହାରକୁ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି।

ସମ୍ବନ୍ଧିତ ଖବର