ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରା ନିକଟରେ ମାଓବାଦୀମାନେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଘଟଣା ସାରା ବୌଦ୍ଧ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ଓଲଣ୍ଡା ଗାଁ ଖଡ଼ଙ୍ଗ ନଦୀ ପୋଲ ଉପରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀ ନିଜର ସ୍ଥିତି ଜାହିର କରିଥିବା ବେଳେ ଜିଲ୍ଲା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଓଡ଼ିଶା ଓ ପୂର୍ବ ଛତିଶଗଡ଼ରେ ୨୪ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବା ପାଇଁ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଆହ୍ବାନ କରିଛନ୍ତି ମାଓବାଦୀ। ମୁକୁନ୍ଦ କହଁର ହତ୍ୟାକାଣ୍ଡରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଓବାଦୀ ଦାବି କରିଛନ୍ତି।

ପୁଲିସ ଓ ସିଆର୍‌ପିଏଫ୍‌ଙ୍କ ଗୁଣ୍ଡାରାଜର ପ୍ରତିବାଦ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ପୁଲିସ ପାଇଁ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇଣ୍ଡ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଗତ ଫେବ୍ରୁଆରି ମାସରେ ମୃତ୍ୟୁ ଘଟଣାକୁ ନେଇ ମାଓବାଦୀ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଲେଖାଥିବା ଏହି ପୋଷ୍ଟରରେ ମାଓବାଦୀ ପୁଲିସକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ଏ ସମ୍ପର୍କରେ କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସ୍‌ପି ତପସ୍ବିନୀ କଅଁରଙ୍କୁ ପଚାରିବାରୁ ଯେହେତୁ ବୌଦ୍ଧ ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି, ସେଥିପାଇଁ ଆମ ପାଖରେ ଏସ୍‌ଓଜି ଫୋର୍ସ ନାହିଁ। ତେବେ ସୀମାନ୍ତରେ ମାଓବାଦୀ ଉପସ୍ଥିତ ଥିବା ଯୋଗୁ ମୁକାବିଲା ପାଇଁ କଣ୍ଟାମାଳ ପୁଲିସ ସବୁବେଳେ ସଜାଗ ରହିଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତବର୍ଷ ବୌଦ୍ଧ- କନ୍ଧମାଳ ସୀମାନ୍ତ ଲାଦେନଠାରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଅନେକ ମାସ ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ।

ସମ୍ବନ୍ଧିତ ଖବର