ରିହାତିକୁ ଔଷଧ ବିକ୍ରେତା ସଂଘର ବିରୋଧ

ମେଡିସିନ ଷ୍ଟୋରରେ ଫାଡ଼ିଲେ ପୋଷ୍ଟର

ରାଉରକେଲା: ଔଷଧ ବିକ୍ରିରେ ‘ମେଡ୍‌ ପ୍ଲସ୍‌’ ଷ୍ଟୋରର ୨୦% ରିହାତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। କେବଳ ରାଉରକେଲା ସହର ନୁହେଁ ଓଡ଼ିଶାରେ ୧୦୪ଟି ଷ୍ଟୋରରେ ମେଡ୍‌ ପ୍ଲସ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଔଷଧର କ୍ରୟ ଦାମ ଉପରେ ୨୦% ରିହାତି ଦେଇଆସୁଛି। ରାଉରକେଲା ସହରରେ ୨୦% ରିହାତିକୁ ଔଷଧ ବିକ୍ରେତା ସଂଘ ପକ୍ଷରୁ ବିରୋଧ କରାଯାଇଛି। ପ୍ରତିବାଦରେ ଆଜି ସଂଘର କିଛି କର୍ମକର୍ତ୍ତା ଉଦିତନଗର ପେଟ୍ରୋଲ ପମ୍ପ ନିକଟସ୍ଥ ଷ୍ଟୋରରେ ପହଞ୍ଚି ପାଟିତୁଣ୍ଡ କରିଥିଲେ।

ଏଥିସହ ଷ୍ଟୋର ଆଗରେ ଲାଗିଥିବା ୨୦% ରିହାତି ପୋଷ୍ଟର ଚିରି ଫୋପାଡି ଦେଇଥିବା ‘ମେଡ୍‌ ପ୍ଲସ୍‌’ ପଶ୍ଚିମ ଓଡ଼ିଶାର ମୁଖ୍ୟ ବିଶ୍ବଜିତ ପଲେଇ କହିଛନ୍ତି। ସେ କହିଛନ୍ତି,  ଔଷଧ ବିକ୍ରେତା ସଂଘ ପକ୍ଷରୁ ଗତ ୫ ଦିନ ତଳେ ୨୦% ରିହାତି ବୋର୍ଡ ଷ୍ଟୋର ଆଗରେ ନ ଲଗାଇବାକୁ ଷ୍ଟୋର ସୁପରଭାଇଜରଙ୍କୁ କହିଥିଲେ। ଷ୍ଟୋର ସୁପରଭାଇଜର ଏ ସଂକ୍ରାନ୍ତରେ କମ୍ପାନୀକୁ ଜଣାଇବେ ବୋଲି ସଂଘକୁ କହିବା ସହ ୫ ଦିନ ସମୟ ମାଗିଥିଲେ। ବିଡମ୍ବନା, ଆଜି ସଂଘର କିଛି କର୍ମକର୍ତ୍ତା ପହଞ୍ଚି ଷ୍ଟୋର ସୁପରଭାଇଜର ଉମାକାନ୍ତ ନାୟକଙ୍କୁ ୨୦% ରିହାତି ବୋର୍ଡ ଦୋକାନ ଆଗରୁ ହଟାଇ ଦେବାକୁ କହିଥିଲେ। ଷ୍ଟୋର ସୁପରଭାଇଜର ଉମାକାନ୍ତ କମ୍ପାନୀ କହିବାନୁଯାୟୀ ଲଗାଯାଇଛି ବୋଲି କହିବାରୁ ଔଷଧ ବିକ୍ରେତା ସଂଘର କର୍ମକର୍ତ୍ତା ପୋଷ୍ଟରକୁ ଫାଡି ଫିଙ୍ଗିଦେଇଥିଲେ। ତାଙ୍କ କମ୍ପାନୀ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଔଷଧ ଦାମ ଉପରେ ୨୦% ରିହାତି ଦେଉଛନ୍ତି।

ଗ୍ରାହକମାନେ ବେଶ୍‌ ଉପକୃତ ମଧ୍ୟ ହେଉଛନ୍ତି। ତାଙ୍କ କମ୍ପାନୀ ସହରବାସୀଙ୍କୁ ଫାଇଦା ଦେଉଥିବାବେଳେ ଔଷଧ ବିକ୍ରିତା ସଂଘ ବିରୋଧ କରିବାର କୌଣସି ଯଥାର୍ଥତା ନାହିଁ। ଏହା ବିରୋଧରେ ଆମେ ମଙ୍ଗଳବାର ଉଦିତନଗର ଥାନାରେ ଲିଖିତ ଏତଲା ଦେବୁ। ପୁଲିସର ସୁରକ୍ଷା ମାଗିବୁ ବୋଲି ସେ କହିଛନ୍ତି। ସେପଟେ ଏ ସଂକ୍ରାନ୍ତରେ ଉଦିତନଗର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମେଡ୍‌ ପ୍ଲସ୍‌’ ପକ୍ଷରୁ ସେମିତି କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ। ଅଭିଯୋଗ ଆସିଲେ ଆମେ ତଦନ୍ତ କରି ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ତା’ ନିଶ୍ଚୟ କରିବୁ। ଉଲ୍ଳେଖଯୋଗ୍ୟ, ଏହି ସମାନ ସମସ୍ୟା ପଶ୍ଚିମ ଓଡ଼ିଶାର ବରଗଡରେ ହୋଇଥିଲା। ସ୍ଥାନୀୟ ଲୋକ ୨୦% ରିହାତିକୁ ସମର୍ଥନ ଜଣାଇବା ସହ ଔଷଧ ବିକ୍ରେତା ସଂଘର  ଏଭଳି ବେଆଇନ କାର୍ଯ୍ୟକୁ କଡାବି‌ରୋଧ କରିଥିଲେ।

ପୁଲିସ ହସ୍ତକ୍ଷେପ କରିବା ପରେ ସମସ୍ୟାର ସମାଧାନ ହୋଇଥିଲା। ସେମିତି ଔଷଧ ବିକ୍ରେତା ସଂଘର ପ୍ରଶାନ୍ତ ପଚାରିବାରୁ ସେ କହିଛନ୍ତି, ୫ ଦିନ ତଳେ ରିହାତି ବୋର୍ଡ ହଟାଇବାକୁ କହିଥିଲୁ। ନ ହଟାଇବାରୁ ଆମେ ରିହାତି ଷ୍ଟିକରଗୁଡ଼ିକୁ ଫାଡି ଦେଇଛୁ। କେବଳ ‌‘ମେଡ୍‌ ପ୍ଲସ’ ନୁହେଁ ଅନ୍ୟ ଔଷଧ ଦୋକାନୀଙ୍କୁ ମଧ୍ୟ ରିହାତି ନ ଲେଖିବାକୁ କହିଛୁ। ଏ ସଂକ୍ରାନ୍ତରେ ଥାନା ଅଧିକାରୀଙ୍କୁ ମଧ୍ୟ ଭେଟି କହିଛୁ।

ସମ୍ବନ୍ଧିତ ଖବର