ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ଓକିଲ ସଂଘକୁ ନେଇ ୨୯ରେ ବୈଠକ

ବ୍ରହ୍ମପୁର : ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଗଂଜାମ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ। ଏସମ୍ପର୍କରେ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆସନ୍ତା ୨୯ତାରିଖରେ ଅବିଭକ୍ତ ଗଂଜାମ ଜିଲ୍ଲାର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଏକ ବୈଠକରେ ଏକାଠି ହେବେ। ଏଥିପାଇଁ ଗଂଜାମ ଓକିଲ ସଂଘ ପକ୍ଷରୁ ଅନ୍ୟ ସମସ୍ତ ସଂଘକୁ ନିମନ୍ତ୍ରଣ କରାଯିବ। ଉକ୍ତ ବୈଠକରେ ସମଗ୍ର ଦକ୍ଷିଣ ଓଡ଼ିଶାର ଓକିଲ ସଂଘକୁ ଏକାଠି କରିବା ପାଇଁ  ଏକ ଷ୍ଟିୟରିଂ କମିଟି ଗଠନ ହେବ।
ଗଂଜାମ ଓକିଲ ସଂଘ ପକ୍ଷରୁ ଏହାର ପାଠାଗାର ପରିସରରେ କାର୍ଯ୍ୟକାରୀ ସଦସ୍ୟ ଏବଂ ଉପଦେଷ୍ଟା ମଣ୍ଡଳୀକୁ ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିସହ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବ୍ରହ୍ମପୁରରେ ହାଇକୋର୍ଟ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଂଜୁରି ପ୍ରଦାନ କରିବାକୁ ନିବେଦନ କରିବେ ବୋଲି ମଧ୍ୟ ସ୍ଥିର ହୋଇଛି। ଗଂଜାମ ଜିଲ୍ଲାର ସମସ୍ତ ଜନପ୍ରତିନିଧି, ଅନୁଷ୍ଠାନ ଓ ଜନସାଧାରଣଙ୍କୁ ଆନ୍ଦୋଳନରେ ଯୋଡ଼ିବା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗଂଜାମ ଓକିଲ ସଂଘର ସଭାପତି କପିଳେଶ୍ବର ପଟ୍ଟନାୟକ ଆଜିର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ପ୍ରକାଶ ଚନ୍ଦ୍ର ଦାଶ, ସମ୍ପାଦକ ସୁଶୀଲ କୁମାର ତ୍ରିପାଠୀ, ଯୁଗ୍ମସମ୍ପାଦକ ବି. ଦୁର୍ଗାରାଓ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର