ପ୍ରଯୁକ୍ତି ବିଦ୍ୟାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଅ

ସଚିବାଳୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ମିଳନୀ, ରାଜସ୍ୱ ବିଭାଗର ଦୈନିକ ବୁଲେଟିନ୍‌ ସେବା ଆରମ୍ଭ

ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ପଡ଼ିବ। ଏଥି ପାଇଁ ବିଭିନ୍ନ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଅନ୍‌ଲାଇନ୍‌ର ପ୍ରଚଳନ କରାଯିବା ସହ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇଛି। ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ରାଜସ୍ୱ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆହ୍ଵାନ ଦେଇଛନ୍ତି।

ଆଜି ସଚିବାଳୟରେ ଆୟୋଜିତ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ମହାନ୍ତି କହିଥିଲେ, କାର୍ଯ୍ୟପ୍ରଣାଳୀକୁ ସରଳ, ସହଜ ଓ ନିର୍ଭୁଲ୍‌ କରିବା ଦିଗରେ ବିଭିନ୍ନ ସେବାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଉଥିଲା ବେଳେ ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ଆବଶ୍ୟକତା ରହିଛି। ଜନସାଧାରଣଙ୍କୁ ତ୍ରୁଟିଶୂନ୍ୟ ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜସ୍ୱ ସେବା ଯୋଗାଇ ଦେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଅନ୍‌ଲାଇନ୍‌ ମନିଟରିଂ କରିବେ। ରାଜସ୍ୱ ପ୍ରଶାସନକୁ ଅଧିକ ସରଳ କରିବା ଉଦ୍ଦେଶ୍ୟରେ ଏକକ ରାଜସ୍ୱ କୋର୍ଡ ପ୍ରସ୍ତୁତ କରାଯାଉଛି। ଏଥି ସହିତ ଆବଶ୍ୟକ ସର୍ଭେ କରି ଘରଡିହହୀନ ପରିବାରକୁ ପଟ୍ଟା ପ୍ରଦାନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ଲୋକସେବା ଅଧିକାର ଆଇନ୍‌ ଅନ୍ତର୍ଗତ ଦାଖଲ ଖାରଜ ମାମଲା, ୮(କ) ଓଏଲ୍‌ଆର୍‌ ମାମଲା, ଧାରା(୧)(ଗ), ଓଏଲ୍‌ଆର୍‌ ମାମଲା, ଇ-ଡିଷ୍ଟ୍ରିକ୍ଟ ସର୍ଭିସେସ୍‌ ଓ ରେଜିଷ୍ଟ୍ରେସନ୍‌ ସର୍ଭିସେସ୍‌ ଆଦି ସେବାର ସଦ୍ୟତମ ସ୍ଥିତି ଜାଣିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଦୈନିକ ବୁଲେଟିନ୍‌ ସେବାକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ନୂତନ ଭାବେ ଡିଜାଇନ୍‌ କରାଯାଇଥିବା ଉନ୍ନତ ମାନର ଖତିଆନର ପ୍ରଦର୍ଶନ କରାଯାଇଥିଲା। ଜମିଜମା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରସ୍ତାବ ଦେବା ପାଇଁ ଇନ୍‌ସପେକ୍ଟର୍‌ ଜେନେରାଲ୍‌ ରେଜିଷ୍ଟ୍ରେସନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ନିମନ୍ତେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର ପ୍ରସ୍ତାବ ଦେଇଥିଲେ। ଏଥି ସହିତ ଡକ୍ୟୁମେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ରେ ସମସ୍ତ ତଥ୍ୟ ଅପ୍‌ଲୋଡ୍‌ ଓ କାଡାଷ୍ଟ୍ରାଲ୍‌ ମ୍ୟାପ୍‌ ସଂଶୋଧନ କରିବା ନିମନ୍ତେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଇ-ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବେବନ୍ଦୋବସ୍ତ, ଭୂନକ୍ସା, ଭୂଲେଖ ଓ ତହସିଲ୍‌ଗୁଡ଼ିକର େଓ୍ଵବ୍‌ସାଇଟ୍‌କୁ ଅପ୍‌ଡେଟ୍‌ କରିବା, ବାଲି, ମୋରମ୍‌, ପଥର ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ ଆଦି ସୈରାତ ଉତ୍ସକୁ କାର୍ଯ୍ୟକାରୀ କରିବା ଓ ସରକାରୀ ଜମିର ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଳ୍ଲାପାଳ ଓ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର