ମେଣ୍ଡରାଜ୍‌ପୁର ବସ୍‌ ଟ୍ରାଜେଡି : ଶାରଦା ପାଇଲେ ନୂଆ ଜୀବନ, ୧ ଲକ୍ଷ ୬୦ହଜାର ଟଙ୍କାରେ କୃତ୍ରିମ ଗୋଡ଼ ଲାଗିଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଡଙ୍କଲପାଡ଼ୁ ଗାଁର ବି.ଶାରଦା ରେଡ୍ଡୀ(୪୫)ଙ୍କୁ ମିଳିଛି ନୂଆ ଜୀବନ। ଦୁର୍ଘଟଣାରେ ହରାଇଥିବା ଦୁଇ ଗୋଡ଼ରେ ଲଗାଯାଇଛି କୃତ୍ରିମ ଗୋଡ଼। ସେ ଏବେ ଛିଡ଼ା ହୋଇ ପାରୁଛନ୍ତି। କୃତ୍ରିମ ଗୋଡ଼ ଜରିଆରେ ଚାଲିପାରୁନାହାନ୍ତି। ଏଥିଲାଗି ଲାଗି ବ୍ରହ୍ମପୁର ଠାରେ ପ୍ରତ୍ୟହ ତାଲିମ ନେଉଛନ୍ତି। ତାଙ୍କର ମନୋବଳ ବୃଦ୍ଧି ଲାଗି ପ୍ରତ୍ୟେହ ମନସ୍ତତ୍ତ୍ବବିତ୍‌ ବି କାଉନ୍‌ସେଲିଂ କରୁଛନ୍ତି। ୨ମାସର ତାଲିମ ପରେ ଜଣେ ଭଲ ମଣିଷ ଭଳି କୃତ୍ରିମକୃତିମ ଅଙ୍ଗ ଲଗାଇ ଚାଲିପାରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶାରଦା।

୨୦୨୦ ଫେବ୍ରୃଆରି ୯ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ୟୁ. ସନ୍ୟାସୀଙ୍କ ପୁଅ ଅଶୋକଙ୍କ ନିର୍ବନ୍ଧ ପାଇଁ ପରିବାରଲୋକ ଓ ସମ୍ପର୍କୀୟଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବସ୍ ରାସ୍ତାରେ ଝୁଲି ରହିଥିବା ୧୧କେଭି ତାର ବସ୍‌ ସଂସ୍ପର୍ଶରେ ଆସିଥିଲା। ପୂରା ବସ୍‌ ବିଦ୍ୟୁତ୍‌ ସଂଚାଳିତ ହେବାରୁ ଡଙ୍କଲପାଡ଼ୁ ଗ୍ରାମର ୯ଜଣଙ୍କ ସମେତ ସମୁଦାୟ ୧୨ଜଣ ଆଖି ବୁଜିଥିଲେ। ଆହତଙ୍କ ମଧ୍ୟରୁ ୧୧ଜଣ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ୨ରୁ ୩ମାସ ଧରି ଚିକିତ୍ସିତ ହେବାପରେ ଘରକୁ ଫେରିଥିଲେ। ଦୁର୍ଘଟଣାରେ ବି.ଶାରଦା ଦୁଇ ଗୋଡ଼ ଆଣ୍ଠୁ ଉପର କାଟି ଦିଆଯାଇଥିଲା। ସେ ପଙ୍ଗୁ ହୋଇ ଯାଇଥିଲେ। ଏପରିକି ତାଙ୍କର ହାତ ଦ୍ବୟ ବି ପୋଡ଼ି ଯାଇଥିଲା। ପତ୍ନୀଙ୍କ ସେବା କରି ସ୍ବାମୀ ବି.ଗୋପଳ ରେଡ୍ଡୀ ମଧ୍ୟ ପକ୍ଷାଘାତରେ ପୀଡ଼ିତ। ଘରେ ଦୁର୍ବିଷହ ଜୀବନ ବିତାଉଥିବା ଏହି ଦମ୍ପତିଙ୍କ ଦୁ!ସ୍ଥିତି ସଂକ୍ରାନ୍ତରେ ଗତ ୩ତାରିଖରେ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଚେତିଥିଲା। ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପକ୍ଷରୁ ଡଙ୍ଗଲପାଡ଼ୁ ଠାରେ ସ୍ବତନ୍ତ୍ର ଭିନ୍ନକ୍ଷମ ଶିବିର କରାଯାଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା। ଶାରଦାଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିଶେଷଜ୍ଞ ମୁରଲୀଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଶାରଦାଙ୍କ ଗୋଡ଼ର ମାପ ନେଇ କୃତ୍ରିମ ଗୋଡ଼ ପ୍ରସ୍ତୁତ ହୋଇଥିଲା। ୧ଲକ୍ଷ ୬୦ହଜାର ଟଙ୍କା ବ୍ୟୟରେ ଏହି ଗୋଡ଼ ଦ୍ବୟ ପ୍ରସ୍ତୁତ ଲାଗି ୨୦ଦିନ ସମୟ ଲାଗିଥିଲା। ଆମେରିକାନ୍‌ ସିଲିକନ୍‌ ଲାଇନର୍‌ ଦିଆଯାଇ ଏହି କୃତ୍ରିମ ଗୋଡ଼ ଦ୍ବୟ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ସେ ଚାଲିପାରିବେ ଓ ବସ୍‌ଉଠ ମଧ୍ୟ ହୋଇ ପାରିବେ।

କିନ୍ତୁ ଶାରଦାଙ୍କ ଦୁଇ ଗୋଡ଼ ନ ଥିବାରୁ ଚାଲିବା ଲାଗି ସମୟ ଲାଗିବ। ଶାରଦାଙ୍କ ମନୋବଳଙ୍କ ଦୃଢ କରିବା ଲାଗି ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମନସ୍ତତ୍ତ୍ବବିତ୍‌ ଅଜିତ୍‌ କୁମାର ରାଉଳ ପ୍ରତ୍ୟହ କାଉ୍‌ନସେଲିଂ କରୁଛନ୍ତି। ସିଟି‌ ହସ୍ପିଟାଲରେ ଶାରଦାଙ୍କ ରହିବା ବ୍ୟବସ୍ଥା ହୋଇଛି ବୋଲି ବୋଲି ବିଶେଷଜ୍ଞ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର