ହାଟଡିହି ବ୍ଲକ୍ ମନରେଗା ଦୁର୍ନୀତି: ୨୫ ଲକ୍ଷ ଅଗ୍ରିମ ନେଇ ଫେରାଉ ନାହାନ୍ତି

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ

କେନ୍ଦୁଝର : ଟଙ୍କା ଅଗ୍ରିମ ନେଲେ। କେଉଁ ବାବଦରେ ଖର୍ଚ୍ଚ କଲେ ତାହା ମଧ୍ୟ ଦର୍ଶାଇଲେ ନାହିଁ କିମ୍ବା ଫେରାଇଲେ ନାହିଁ। ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅଧିକାରୀଙ୍କୁ ଅଗ୍ରିମ ଆକାରରେ ଦିଆଯାଇଛି। ସେମାନେ କେଉଁ ବାବଦରେ କେତେ ଖର୍ଚ୍ଚ କଲେ ତାହାର ହିସାବ ଦେଉ ନଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପଞ୍ଚାୟତିରାଜ ବିଭାଗ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ତାହା ମଧ୍ୟ ପାଳନ ହେଉନାହିଁ। ଶେଷରେ ଏଭଳି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିଛି ସ୍ବତନ୍ତ୍ର ଅଡିଟ୍‌ ଟିମ୍‌।

ହାଟଡିହି ବ୍ଲକ୍‌ରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ସ୍ବତନ୍ତ୍ର ଅଡିଟ୍‌ ବେଳେ ସରକାରୀ ଅଧିକାରୀମାନେ ୨୦୧୫ ଏପ୍ରିଲ ୧ ତାରିଖରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମନରେଗା କ୍ୟାସ୍‌ବୁକ୍‌ରୁ ୨୫ ଲକ୍ଷ ୬୮ ହଜାର ୩୩୦ ଟଙ୍କା ଅଗ୍ରିମ ନେଇ ଫେରାଉ ନ ଥିବା ଜଣାପଡ଼ିଛି। ଏମ୍‌ଆଇ ନିର୍ବାହୀ ଯନ୍ତ୍ରୀ ୧୦ ଲକ୍ଷ ଟଙ୍କା ଅଗ୍ରିମ ନେଇ ଫେରାଇ ନଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ୧ ଲକ୍ଷ ୭୬ ହଜାର ଟଙ୍କା ଅଗ୍ରିମ ନେଇଛନ୍ତି। ସେହିପରି ଜିପିଟିଏ ଭାବେ କାର୍ଯ୍ୟ କରୁଥିବା ଧନୁର୍ଜୟ ମହାପାତ୍ର ୫ ଲକ୍ଷ ଟଙ୍କା, କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ସିଂହ ୩ ଲକ୍ଷ ୭୦ ହଜାର ଟଙ୍କା, ଜିପିଟିଏ ବିଭୂଭୂଷଣ ବିଶ୍ବାଳ ୫୫ ହଜାର ୧୦ ଟଙ୍କା, କନିଷ୍ଠ ଯନ୍ତ୍ରୀ ପ୍ରଭାସ କୁମାର ଜେନା ୧ ଲକ୍ଷ ଟଙ୍କା, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ୬୭ ହଜାର ୩୨୦ ଟଙ୍କା, କନି‌ଷ୍ଠ ଯନ୍ତ୍ରୀ ସିଦ ମାଝୀ ୩ ଲକ୍ଷ ଟଙ୍କା ଅଗ୍ରିମ ନେଇ ଫେରାଇ ନାହାନ୍ତି।

୨୦୧୭ ଡିସେମ୍ବର ୧୯ ତାରିଖରେ ଏ ସଂପର୍କ‌ରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଡିଆର୍‌ଡିଏ ପିଡି ଏବଂ ବିଡିଓଙ୍କୁ ଏକ ନିର୍ଦେଶନାମା ଜାରି କରାଯାଇଥିଲା। ଏଥି‌ରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଯେଉଁ ଅଧିକାରୀମାନେ ଏଭଳି ଅଗ୍ରିମ ନେଇ ବଦଳି ହୋଇଛନ୍ତି କିମ୍ବା ଅବସର ନେଇଛନ୍ତି ଅଥବା ଅଗ୍ରିମ ନେଇ ଫେରାଇ ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। କିନ୍ତୁ ଏହି ନିର୍ଦେଶକୁ ପାଳନ କଲା ନାହିଁ ପ୍ରଶାସନ। ଏମିତି କି ଟଙ୍କା ଫେରାଇ ଆଣିବା ଦିଗରେ ମଧ୍ୟ ପଦକ୍ଷେପ ନିଆଗଲା ନାହିଁ। ସ୍ବତନ୍ତ୍ର ଅଡିଟ୍‌ ବେଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡିଟ୍‌ ଟିମ୍‌ ଜିଲ୍ଲାପାଳଙ୍କୁ ସୁପାରିସ କରିଛି। ମାତ୍ର ଏଯାଏ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର