ପ୍ରବାସୀଙ୍କ ଖାଦ୍ୟ ଟଙ୍କା ବି ଖାଇଗଲେ : ୧୨ ଦିନ ହେଲା ଦୁଇ ବେଳା ମିଳୁଛି ଭାତ, ଡାଲମା

ମୁଣ୍ଡପିଛା ଦୈନିକ ଖାଦ୍ୟ ଖର୍ଚ୍ଚ ଧାର୍ଯ୍ୟ ହୋଇଛି ୧୨୦ ଟଙ୍କା

କଟକ : କ୍ବାରାଣ୍ଟିନ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ଖାଦ୍ୟ ଟଙ୍କାକୁ ବି ଖାଇଗଲେ ବ୍ୟବସ୍ଥା ସମ୍ଭାଳୁଥିବା ବଡ଼ ବାବୁ। କଟକ ମହାନଗରରେ କ୍ବାରାଣ୍ଟିନ କେନ୍ଦ୍ରରେ ଖାଦ୍ୟ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଏଭଳି ଏକ ବଡ ଧରଣର ଦୁର୍ନୀତି ଓ ହେରଫେର ଘଟଣାକୁ ସାମନାକୁ ଆଣିଛି। ଆହାର ଯୋଜନାରେ ୫ଟଙ୍କାରେ ମିଳୁଥିବା ଭାତ, ଡାଲମା, ଆଚାର ପ୍ରବାସୀଙ୍କୁ ଦୁଇ ବେଳା ଯୋଗାଇ କର୍ତ୍ତୃପକ୍ଷ କିଭଳି ସୁବ୍ୟବସ୍ଥାର ଦ୍ବାହି ଦେଉଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ବାରାଣ୍ଟିନରେ ରହୁଥିବା ପ୍ରବାସୀଙ୍କ ପାଇଁ ଦିନକୁ ମୁଣ୍ଡପିଛା ଖାଦ୍ୟ ଖର୍ଚ୍ଚ ବାବଦକୁ ସରକାର ୧୨୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ଅର୍ଥରେ ବିଭିନ୍ନ ଦିନରେ ଅଲଗା ଅଲଗା ଖାଦ୍ୟ ଯୋଗାଣର ତାଲିକା ବି ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଉଛି। କିନ୍ତୁ କେନ୍ଦ୍ରରେ ଯେଉଁ ଖାଦ୍ୟ ମିଳୁଛି, ସେଥିପାଇଁ କେଉଁ ବାଟରେ ‌୧୨୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି କ୍ବାରାଣ୍ଟିନ କେନ୍ଦ୍ରରେ ଯନ୍ତ୍ରଣା ଦାୟକ ଜୀବନ କାଟୁଥିବା ପ୍ରବାସୀ ପ୍ରଶ୍ନ କରୁଛନ୍ତି। କଟକର ଭୁବନାନନ୍ଦ ସ୍କୁଲ ଅଫ୍ ଇଂଜିନିୟରିଂ (ବୋସ୍) ପରିସରରେ ହୋଇଥିବା କ୍ବାରାଣ୍ଟିନ କେନ୍ଦ୍ରରେ ଗଲା ୧୬ ତାରିଖରୁ ଆଜି ଅର୍ଥାତ ୨୭ ତାରିଖ ଭିତରେ ପ୍ରବାସୀଙ୍କୁ ଦୁଇ ବେଳା କେବଳ ଭାତ, ଡାଲମା ଦିଆଯାଉଛି। ଏହି ୧୨ ଦିନ ଭିତରେ ଗୋଟିଏ ଦିନ ଅର୍ଥାତ ଗଲା ରବିବାର ଖରାବେଳର ଖାଦ୍ୟରେ ପ୍ରବାସୀଙ୍କୁ ଭାତ ସହିତ ଚିକେନ୍ ଦିଆଯାଇଛି। ଏଭଳି ସ୍ଥିତିରେ ସରକାର ମୁଣ୍ଡପିଛା ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦକୁ ଦେଉଥିବା ୧୨୦ ଟଙ୍କାରୁ ସିଂହଭାଗ ଖାଉଛି କିଏ?

ସୂଚନା ଅନୁଯାୟୀ ବୋସ୍ କ୍ବାରାଣ୍ଟିନ କେନ୍ଦ୍ରରେ ଏବେ ୫୦ରୁ ୬୦ ଜଣ ପ୍ରବାସୀ ରହୁଛନ୍ତି। ପ୍ରବାସୀଙ୍କୁ ସକାଳ ଖାଦ୍ୟରେ ଇଡଲି ଅଥବା ଉପମା ଦିଆଯାଉଛି। ଅପରାହ୍ନରେ ଚା ଦିଆଯାଉଥିବା ବେଳେ ପ୍ରବାସୀ ପାଟିତୁଣ୍ଡ କରିବାରୁ ସେମାନଙ୍କୁ କିଛି ଦିନ ହେଲା ଚା ବିସ୍କୁଟ ଦିଆଯାଉଛି। କିନ୍ତୁ ଦିନକୁ ଦୁଇ ବେଳାର ମୁଖ୍ୟ ଖାଦ୍ୟରେ କେବଳ ଭାତ, ଡାଲମା ଓ ଆଚାର ‌ଦିଆଯାଉଛି। ରାତିରେ ଯେଉଁ ବ୍ୟକ୍ତି ଜୋର ଦେଉଛନ୍ତି, ସେମାନଙ୍କୁ ଭାତ ବଦଳରେ ଡାଲମା ସହିତ ରୁଟି ଦିଆଯାଉଛି। କିନ୍ତୁ ସବୁବେଳେ ସମସ୍ତଙ୍କ ପାଇଁ ରୁଟି ମିଳିବା ସମ୍ଭବ ହେଉନାହିଁ। ଏଭଳି ପ୍ରତ୍ୟେକ ଦିନ ଦୁଇ ବେଳା ମୁଖ୍ୟ ଖାଦ୍ୟରେ କେବଳ ଭାତ ଓ ଡାଲମା ଦିଆଯିବାରୁ ପ୍ରବାସୀମାନେ ଏହାର ପ୍ରତିବାଦ କରିଥିଲେ। କିଛି ପ୍ରବାସୀ ଦିଆଯାଉଥିବା ଭାତ ଓ ଡାଲମା ନିମ୍ନମାନର ଅଭିଯୋଗ କରି ତାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ। ଏଭଳି ସ୍ଥିତିରେ ଗଲା ରବିବାର (୨୪ ତାରିଖ) ଦିନ ପ୍ରବାସୀଙ୍କୁ ଭାତ ଓ ଚିକେନ ଖାଇବାକୁ ଦିଆଯାଇଥିଲା। କିନ୍ତୁ ସୋମବାର ଇଦ୍ ଥିବା ବେଳେ କିଛି ସଂଖ୍ୟାଲଘୁ ପ୍ରବାସୀ ସ୍ବତନ୍ତ୍ର ଖାଦ୍ୟ ପାଇଁ ଦାବି କରିଥିଲେ ବି ସେମାନଙ୍କୁ ପୁଣି ଚିରାଚରିତ ଭାବେ ଭାତ, ଡାଲମା, ଆଚାର ‌ଦେଇ ଦିଆଯାଇଥିଲା। ତେଣୁ ସେହି ପ୍ରବାସୀମାନେ ତାହାକୁ ନ ଖାଇ ନିଜ ସଂପର୍କୀୟ ମାନଙ୍କ ଜରିଆରେ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ।

କ୍ବାରାଣ୍ଟିନ କେନ୍ଦ୍ରରେ ପ୍ରବାସୀଙ୍କୁ ଦିଆଯାଉଥିବା ମୁଖ୍ୟ ଖାଦ୍ୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଦାୟିତ୍ବରେ ଥିବା କଟକ ମହାନଗର ନିଗମର ସଚିବ ଲତାଶ୍ରୀ ବାଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଭଳି ଅଭିଯୋଗ କିନ୍ତୁ ତାଙ୍କ ପାଖରେ ନାହିଁ ବୋଲି ସେ ସ୍ପଷ୍ଟ କହିଥିଲେ। ଘଟଣା ସଂପର୍କରେ ଆଜି ଯାଞ୍ଚ କରି ଦେଖିବେ ଏବଂ ନିୟମ ଓ ବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର