ମିନେରାଲ ଇଞ୍ଜିନିୟରିଂ ପଢ଼ିବା ପାଇଁ ଶେଷ ସୁଯୋଗ, ୧୦ରୁ ୧୫ ଯାଏ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ବି.ଟେକ୍‌ ପାଠ୍ୟକ୍ରମର ମିନେରାଲ ଇଞ୍ଜିନିୟରିଂ ବିଭାଗରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି। ଦୁଇଟି ପର୍ଯ୍ୟାୟ କାଉନସେଲିଂ ପରେ ଅଧିକାଂଶ ସିଟ୍‌ ପୂରଣ ହୋଇଥିବା ବେଳେ ଆଉ ଅଳ୍ପ କିଛି ସିଟ୍‌ ବଳକା ରହିଛି। ସେଗୁଡ଼ିକ ପୂରଣ ଲାଗି ଆସନ୍ତା ୧୦ରୁ ୧୫ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବାକୁ ଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ କଲେଜସ୍ତରରେ ଏହି ବିଭାଗରେ ନାମ ଲେଖାଇପାରିବେ।

ମିଳିଥିବା ତଥ୍ୟ ଅନୁଯାୟୀ ଏହି ବିଭାଗରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ କମ୍ପାନିରେ ନିଯୁକ୍ତି ପାଉଛନ୍ତି। କେତେଜଣ ଛାତ୍ରଛାତ୍ରୀ ନ୍ୟାସନାଲ ମେଟାଲୋର୍ଜିକାଲ ଲାବରେଟୋରି ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ ଆଣ୍ଡ ‌ମାଟେରିଆଲ ଟେକ୍ନୋଲୋଜିରେ ଗବେଷଣା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବହୁ ପିଲା ବିଭିନ୍ନ ଖଣି ଓ ଷ୍ଟିଲ୍‌ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ଯଦି ଦେଖାଯାଏ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ମିନେରାଲ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀ ଏଚ୍‌ସିଏଲ୍‌, ଟାଟା ଷ୍ଟିଲ୍‌, ଆଇଆରଇଏଲ୍‌, ଗ୍ଲୋବାଲ କୋଲ, ଏଚ୍‌ଜେଡ୍‌ଏଲ୍‌, ବିଆରପିଏଲ୍‌, ଏନ୍‌ଏମ୍‌ଡିସି ପରି କମ୍ପାନିରେ ନିଯୁକ୍ତି ପାଇଛନ୍ତି। ୨୦୦୮ରୁ ଏଠାରେ ଖୋଲିଥିବା ମିନେରାଲ ଇଞ୍ଜିନିୟରିଂ ବିଭାଗ ଚଳିତବର୍ଷ କ୍ୟାମ୍ପସ ଚୟନରେ ଆଶାତୀତ ସଫଳତା ହାସଲ କରିଛି। ୬୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି। ଅତ୍ୟାଧୁନିକ ଲାବ‌ରେଟୋରି ଓ ଶିକ୍ଷା ଉପକରଣ ସହ ଅଧ୍ୟୟନ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର