ରାହାଡ଼ପୁର ପାହାଡ଼ରେ ସୈରାତ ଚିହ୍ନଟ ଜାରି

ଯାଜପୁର/ଚଢ଼େଇଧରା :ଧର୍ମଶାଳା ତହସିଲର ରାହାଡ଼ପୁର ପାହାଡ଼ ସୈରାତଗୁଡ଼ିକର ଚିହ୍ନଟ ଓ ମାପଚୁପ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଡ୍ରୋନ କ୍ୟାମେରା ସହାୟତାରେ ସର୍ଭେ କରାଯାଇଥିଲା। ଧର୍ମଶାଳା ତହସିଲ ଓ ସର୍ଭେୟର ସଂସ୍ଥା ମାଇଁ ୱାର୍ଲଡ ଦ୍ୱାରା ଦୁଇଟି ସୈରାତର ସୀମା ନିର୍ଦ୍ଧାରଣ ଆଜି ଶେଷ ହୋଇଛି। ବର୍ଷା ଓ କୋହଲାପାଗ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ବାକି ସାତଟି ସୈରାତ ମାପଚୁପ ପାଗ ଭଲ ରହିଲେ ଆସନ୍ତା ସପ୍ତାହରେ କରାଯିବ ବୋଲି ସୂଚନା ମିଳିଛି। ମାଇଁ ୱାର୍ଲଡ ସର୍ଭେ ସଂସ୍ଥା ସହ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ଆରଆଇ ମାନସ ବେଜଙ୍କ ସହ ଲିଜଧାରୀଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।

ଏହି ମାପଚୁପର ଫଳାଫଳକୁ ଅପେକ୍ଷା କରାଯାଇଛି। ରାହାଡ଼ପୁରରୁ ସର୍ବାଧିକ ବେଆଇନ କଳାପଥର ଚୋରାଚାଲାଣ କରାଯାଇ ରାଜ୍ୟ ରାଜକୋଷକୁ ପ୍ରାୟ ୨ଶହ କୋଟି ଟଙ୍କା କ୍ଷତି ପହଞ୍ଚାଯାଇଛି। ଏହି ପାହାଡ଼ର ମାପଚୁପ ଉପରେ ଅନ୍ୟ ଲିଜଧାରୀମାନେ ମଧ୍ୟ ସଠିକ୍ ମୂଲ୍ୟାୟନ ଉପରେ ଗୁରୁତ୍ବ ଦେଇଛନ୍ତି। ଚୋରା ପଥର ପରିବହନ କରୁଥିବା ଗାଡ଼ିଗୁଡିକ ଜବତ କରିବା ଓ ଗିରଫ କରିବା ମାମଲାକୁ ପୁଲିସ ଓ ପ୍ରଶାସନ ବେଶ୍ ତତ୍ପରତା ପ୍ରକାଶ କରିଛି। ଶହଶହ କୋଟି ଟଙ୍କାର ରାଜସ୍ବ ଲୁଟ୍ ହୋଇ ଧରାପଡିଥିବା ବେଆଇନ ଲିଜ୍ କାରବାର ମାମଲାରେ ନିର୍ଣ୍ଣାୟକ ପଦକ୍ଷେପ କେବେ? ନା ନାମକୁ ମାତ୍ର ଜରିମାନା କରି ପ୍ରଶାସନ ହାତବାନ୍ଧି ବସି ରହିବ? ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର