ଭଞ୍ଜନଗରରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଆରୁଖ

ସହରରେ ହେବ ବହୁମୁଖୀ ମାର୍କେଟ କ‌େମ୍ପ୍ଲକ୍ସ୍‌ ଓ ସପିଂମଲ

 

ଭଞ୍ଜନଗର : ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଭଞ୍ଜନଗର ସହରରେ ଏକ ବହୁମୁଖୀ ମାର୍କେଟ କମ୍ପ୍ଲେକ୍ସ୍‌ ସହ ସପିଂ ମଲ, ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ  ଭୂତଳ ପାର୍କିଂସ୍ଥାନ ନିର୍ମାଣ, ଅଟୋ ଷ୍ଟାଣ୍ଡ ଓ ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ  ନେଇ ସେ ପ୍ରାଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ଏକ ଏକର ପରିମିତ ସ୍ଥାନରେ ଏହି କମ୍ପ୍ଲେକ୍ସ୍‌ ନିର୍ମାଣ ହେବାର ଯୋଜନା ରହିଛି। ଏନେଇ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଚୂଡାନ୍ତ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।
ଭଞ୍ଜମାର୍ଗ ଠାରେ ଚାଲିଥିବା ନୂତନ ରାସ୍ତା କାମ ବୁଲି ଦ‌େଖିବା ସହ ଡ଼୍ରେନ୍ କାର୍ଯ୍ୟ ଶ୍ରୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇ‌ଥିଲେ। ନୂତନ ରାସ୍ତା ସହ ସଂଯୋଗ କରୁଥିବା ଗଳି ରାସ୍ତା ଗୁଡ଼ିକୁ ସମତଳ କରିବା ପାଇଁ କହିଥିଲେ। ଏଥିସହ ଏହି ରାସ୍ତା ଲୋହରାଖଣ୍ଡି ନଦୀକୁ ସଂଯୋଗ କରୁଥିବାରୁ  ନଦୀ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପାହାଚ ନିର୍ମାଣ ପାଇଁ ଆଲୋଚନା କରିଥିଲେ।  ତେଲିସାହି ଓ ଡ଼େରାସାହିରେ ଡ଼୍ରେନେଜ୍‌ ବ୍ୟବସ୍ଥା ଭୁଶୁଡି ପଡିଥିବା ବ‌େଳେ  ଏହାର ସୁଧାର ଆଣିବା ପାଇଁ ପ୍ରାଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀରାମ ମନ୍ଦିରସାହି ଠାରେ ଏକ ମନ୍ଦିର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା ହୋଇଥିଲା। ଭଞ୍ଜମାର୍ଗ, ଧୋବାସାହି, ଶ୍ରୀରାମ ମନ୍ଦିର ସାହି, କବରସ୍ତାନ ଗଳି, ଡେରା ସାହି, ତେଲି ସାହି, ନାରାୟଣ ମନ୍ଦିର ସାହି ଆଦି ବୁଲି ଚାଲିଥିବା ରାସ୍ତାକାମ ବୁଲି ଦେଖିଥିଲେ। ଏହି ସମୟରେ ସେ ବିଭିନ୍ନ ସାହି ଗଳି କନ୍ଦିରେ ଜନସାଧାରଣଙ୍କ  ଅଭାବ ଅସୁବିଧା ସଂର୍ପକରେ ଆଲୋଚନା କରିଥିଲେ। ସହରର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିଶ୍ରୀଘ୍ର ସମସ୍ତ ଉନ୍ନୟନ କାର୍ଯ୍ୟ ତୁରନ୍ତ ସାରିବା ସହ ଅଞ୍ଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଆଗାମୀ ଦିନରେ ଶ୍ମଶାନ ଏବଂ କମ୍ୟୁନିଟି ସେଣ୍ଟର ଭଳି ଅନୁଷ୍ଠାନ  ଉଦ୍‌ଘାଟନ କରାଯିବ ବୋଲି ଜଣାପଡିଛି। ଆଜି ମନ୍ତ୍ରୀ ଆରୁଖଙ୍କ ସହ ଏନ୍‌ଏସି ପ୍ରଶାସକ ତଥା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ରମେଶ ପ୍ରସାଦ ସ୍ବାଇଁ, ସାଂସଦ ପ୍ରତିନିଧି ଦିବାକର ନାୟକ, ପୂର୍ବତନ ନଗରପାଳ ସୁଧିର ରଞ୍ଜନ ବେହେରା ଓ  ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
ସମ୍ବନ୍ଧିତ ଖବର