ବାସଭବନରେ ରାମଚନ୍ଦ୍ରଙ୍କୁ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଓଡ଼ିଆ ସାହିତ୍ୟ ଏକାଡେମିର କର୍ମକର୍ତ୍ତା ବି ଜଣାଇଲେ ଶୁଭେଚ୍ଛା

କେନ୍ଦ୍ରାପଡ଼ା : ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇଁ ବୁଧବାର ପ୍ରଖ୍ୟାତ ସାହିତ୍ୟିକ ତଥା କଥାକାର ରାମଚନ୍ଦ୍ର ବେହେରାଙ୍କ ନାମ ଘୋଷଣା ପରେ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ଆଜି ଲ’ କଲେଜ କଲୋନିସ୍ଥିତ ଶ୍ରୀ ବେହେରାଙ୍କ ବାସଭବନରେ ରାଜ୍ୟ ସ˚ସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଵାଲ୍‌, ବିଜେଡି ନେତା ସ˚ଜୟ ଅଗ୍ରଵାଲ୍‌, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ ପ୍ରମୁଖ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସାହିତ୍ୟ ଏକାଡେମୀ ପକ୍ଷରୁ ମଧ୍ୟ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ, ପୂର୍ବତନ ସଚିବ ଜୟନ୍ତୀ ରଥ, ଏକାଡେମୀ କାର୍ଯ୍ୟକାରିଣୀ ସଦସ୍ୟା ତଥା ‘ସମ୍ବାଦ-ସାହିତ୍ୟ ଘର’ର ରାଜ୍ୟ ସ˚ଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ସରୋଜ ମହାନ୍ତି, ପ୍ରାଧ୍ୟାପକ ଅତୁଲ୍‌ ବଳ, ରବି ରାୟ ପ୍ରମୁଖ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ବେହେରାଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ସେ ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କ ସାରସ୍ବତ ସୃଷ୍ଟି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। ସେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲେଖନୀଚାଳନା କରି ଯେଉଁ ଉତ୍କର୍ଷ ହାସଲ କରିଛନ୍ତି, ତାହା ଖୁବ୍‌ କମ୍‌ ସାହିତ୍ୟିକଙ୍କ ଭାଗ୍ୟରେ ଆସେ। ଏପରି ସ୍ଥିତିର ସେ ଆହୁରି ନୂଆ ନୂଆ ଉତ୍କୃଷ୍ଟ ସାହିତ୍ୟ ରଚନା କରି ପାଠକଙ୍କୁ ଭେଟି ଦିଅନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ଆଶାପୋଷଣ କରିଥିଲେ।

ସମ୍ବନ୍ଧିତ ଖବର