ନିଆଁରେ ପୋଡ଼ିଗଲେ ନାବାଳିକା ସହାୟିକା, ସନ୍ଦେହରେ ସମଗ୍ର ଘଟଣା

ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ରଙ୍ଗାଢିପାର ଜଣେ ଲୋକଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣ ୧୫ ବର୍ଷ ବୟସର ଜଣେ ନାବାଳିକା ନିଆଁରେ ପୋଡ଼ି ଯାଇଛନ୍ତି। ଗୁରୁତର ନାବାଳିକା ରାଉରକେଲାର ଆଇଜିଏଚ୍‌ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ନାବାଳିକା କିଭଳି ନିଆଁରେ ପୋଡ଼ିଗଲେ, ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। ନାବାଳିକାଙ୍କର ବେକଠାରୁ ଗୋଡ଼ ପର୍ଯ୍ୟନ୍ତ ବହୁମାତ୍ରାରେ ପୋଡ଼ିଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

ହେମଗିର ଥାନାରେ ଥିବା ରଙ୍ଗିଆଢ଼ିପାର ଦଶରଥ କିଷାନଙ୍କ ନାବାଳିକା ଝିଅ ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ରଙ୍ଗାଢିପାର ନଳିନୀପ୍ରଭା ମହାନ୍ତିଙ୍କ ଘରେ କାମ କରୁଥିଲେ। ଖବର ଅନୁସାରେ, ସେ ବାସନକୁସନ ମାଜିବାଠାରୁ ଆରମ୍ଭ କରି ଘର ସଫା ପର୍ଯ୍ୟନ୍ତ ବିଭିନ୍ନ କାମ କରୁଥିଲେ। ଗତ ବର୍ଷେ ହେଲା ନାବାଳିକା ଉକ୍ତ ଠିକାଦାର ଘରେ କାମ କରୁଥିଲେ। ସୂଚନା ଅନୁସାରେ, ନାବାଳିକା ଗାଁ ଆଶ୍ରମ ସ୍କୁଲ‌ରେ ସପ୍ତମ ଶ୍ରେଣୀ ଯାଏ ପଢ଼ିଥିଲେ। କିନ୍ତୁ ଘରର ଅଭାବ ହେତୁ ପାଠରେ ଡୋରି ପଡିଥିଲା। ଦେଢବର୍ଷ ତଳେ ଦଶରଥ ଝିଅକୁ ପାଠ ପଢ଼ାଇବାର ପ୍ରତିଶ୍ରୁତି ପାଇ ନଳିନୀପ୍ରଭା ମହାନ୍ତିଙ୍କ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ପାଠ ନାଁରେ ସନ୍ଧ୍ୟାଙ୍କୁ ଘରକାମରେ ଲଗା ଯାଇଥିଲା। ସେ ପାଲଟି ଯାଇଥିଲେ ଶିଶୁ ଶ୍ରମିକ। ଗତ ଗୁରୁବାର ଦିନ ପ୍ରାୟ ୧୧ଟାରେ ଦଶରଥଙ୍କୁ ଫୋନ୍‌ କରି ନଳିନୀପ୍ରଭା ମହାନ୍ତି ସୂଚନା ଦେଇଥିଲେ ଯେ ଝିଅ ନିଆଁରେ ଜଳି ଯାଇଛି। ବାପା ମାଆ ତୁରନ୍ତ ସୁନ୍ଦରଗଡ଼ ଆସିଥିଲେ, କିନ୍ତୁ ସେମାନେ ପହଞ୍ଚିଲା ପୂର୍ବରୁ ଗୁରୁତର ନାବାଳିକାଙ୍କୁ ମାଲିକଙ୍କ ଘର ଲୋକେ ରାଉରକେଲା ନେଇ ଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ବିଷୟରେ ବର୍ତ୍ତମାନ ଯାଏ ପୁଲିସକୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆ ଯାଇନାହିଁ। ଏନେଇ ମାଲିକ ଶ୍ରୀମତୀ ମହାନ୍ତିଙ୍କୁ ପଚାରିବାରୁ ନାବାଳିକା ପ୍ରେମ ବ୍ୟାପାରରୁ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି ଏବଂ ସେ ପୁଲିସକୁ ମୌଖିକ ଭାବେ ଜଣାଇନ୍ତି ବୋଲି କହିଥିଲେ। କିନ୍ତୁ ସୁନ୍ଦରଗଡ଼ ଟାଉନ ଥାନାଧିକାରୀ ବିବତ୍ସ ପ୍ରଧାନ ଏ ନେଇ କୌଣସି ସୂଚନା ନାହିଁ ବୋଲି କହିଛନ୍ତି। ରାଉରକେଲା ସେକ୍ଟର-୧୯ ପୁଲିସ କହିଛି ଯେ ଏ ବିଷୟରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସକୁ ଅବଗତ କରାଯାଇଛି। ପୁଣି କିଭଳି ନାବାଳିକାଙ୍କ ଦେହରେ ନିଆଁ ଲାଗିଲା, ପାଠ ପଢ଼ାଇବା ଛଳରେ ଆଣି ନାବାଳିକାଙ୍କୁ ଘରୋଇ କାମରେ ନିୟୋଜିତ କରା ଯାଇଥିଲା କାହିଁକି ଓ କେମିତି- ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର