ଅନ୍ୱେଷା ହଷ୍ଟେଲରେ ଅଗ୍ନିକାଣ୍ଡ : ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଳ୍ପକେ ବର୍ତିଲେ

ରାୟଗଡ଼ା : ରାୟଗଡ଼ା ସହର ସାଇପ୍ରିୟା ନଗରରେ ଥିବା ଅନ୍ୱେଷା ହଷ୍ଟେଲରେ ଅଗ୍ନିକାଣ୍ଡ। ନିଆଁ ଚାରିଆଡ଼କୁ ବ୍ୟାପୀ ବଡ଼ଧରଣର କ୍ଷୟକ୍ଷତି କରିବା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ। ଅନ୍ୟପଟେ ଠିକ୍ ସମୟରେ ଘଟଣା ନଜରକୁ ଆସିନଥିଲେ ୨ଶହରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ହଷ୍ଟେଲରେ ଦ୍ବିତୀୟ ମହଲରେ ଥିବା ଷ୍ଟୋର ରୁମରୁ ଆଜି ମଧ୍ୟାହ୍ନରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ହଷ୍ଟେଲର ଦାୟିତ୍ୱରେ ଥିବା ୱାର୍ଡନ। ତୁରନ୍ତ ସେ ରାୟଗଡ଼ା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇରହିଛି। ଏହାର ତଦନ୍ତ ଚାଲିଥିବା କୁହାଯାଇଛି।

କଲ୍ୟାଣ ବିଭାଗ ସହ ଶିକ୍ଷା ଯୋଜନା ମାଧ୍ୟମରେ ୫ରୁ ୧୦ ବର୍ଷ ମଧ୍ୟରେ ୩୦୬ଜଣ କୁନି କୁନି ଛାତ୍ରଛାତ୍ରୀ ଉକ୍ତ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଖ୍ରୀଷ୍ଟମାସ ଉପଲକ୍ଷେ ଆଜି ଠାରୁ ବିଦ୍ୟାଳୟ ବନ୍ଦ ରହୁଥିବାରୁ କିଛି ଛାତ୍ର ଘରକୁ ଯାଇଥିବା ବେଳେ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ନିଜ ନିଜ ବିଦ୍ୟାଳୟକୁ ଯାଇଥିଲେ। ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀ ନିଆଁ ଲାଗିବା ସମୟରେ ହଷ୍ଟେଲରେ ଉପସ୍ଥିତ ଥିଲେ। ତେବେ ସୌଭାଗ୍ୟବଶତଃ ଛାତ୍ରଛାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଷ୍ଟୋର ରୁମରେ ଥିବା ଗଦି, ପୁରୁଣା ଆସବାବପତ୍ର, ଲୁହା ଖଟ ପୋଡ଼ି ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର