ଓଡ଼ଗାଁରେ ମୋ ଗୁହାଳ ଯୋଜନା ବାଟବଣା: ଅଧାରୁ ଅଧିକ ଗୁହାଳ ନିର୍ବାଚିତ ପ୍ରତିନିଧି ହାତେଇଥିବା ବେଳେ ଚାଷୀ ଜଳକା

ଓଡ଼ଗାଁ : ଚାଷୀମାନଙ୍କୁ ଗୁହାଳଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାର ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହି ଯୋଜନା ଏକପ୍ରକାର ଭେଳିକିରେ ପରିଣତ ହୋଇଛି। ଏହାର ଜ୍ବଳନ୍ତ ଉଦାହରଣ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ପଞ୍ଚାୟତ ଲୁଣି ଗ୍ରାମରେ ଦେଖିବାକୁ ମିଳିଛି। ଅଧାରୁ ଅଧିକ ଗୁହାଳ ନିର୍ବାଚିତ ପ୍ରତିନିଧି ହାତେଇଥିବା ବେଳେ ଚାଷୀ ଜଳକା ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ମନରେଗା ଯୋଜନାରେ ଚାଷୀମାନଙ୍କୁ ଗୁହାଳ ଘର ଯୋଗାଇ ଦେବାକୁ ସରକାର ନିୟମ କରିଛନ୍ତି। ଯେଉଁ ଚାଷୀଙ୍କର ୬ଟିରୁ ଊର୍ଦ୍ଧ୍ବ ଗାଈ ଥିବ ସେହି ଚାଷୀମାନଙ୍କୁ ମନରେଗା ଯୋଜନାରେ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସୁନାମୁହିଁ ପଞ୍ଚାୟତ ଲୁଣି ଗାଁଟି ଚାଷବାସ କ୍ଷେତ୍ରରେ ଆଗୁଆ ଥିବା ବେଳେ ଗାଁରେ ସମସ୍ତେ ଚାଷୀ ପରିବାର। ସମସ୍ତେ ଗାଈବଳଦ ଆଦି ରଖି ଚାଷବାସ ଉପରେ ନିର୍ଭର କରନ୍ତି। ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଗାଁରେ କାହାରି ହେଲେ ଗୁହାଳ ଘରଟିଏ ହୋଇନାହିଁ। ଫଳରେ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଗାଈ, ବଳଦ ବାନ୍ଧିବାକୁ କେତେକ ଚାଷୀ ପଥର ପକାଇ ତା’ ଉପରେ ବାନ୍ଧୁଛନ୍ତି ତ ଆଉ କେତେକ ମାଟି ପକାଇ ଗୁହାଳ ଘର ତିଆରି କରିଛନ୍ତି। ଏପଟେ ନିର୍ବାଚିତ ପ୍ରତିନିଧିମାନେ ଗୁହାଳ ହାତେଇ ନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସବୁ ଜାଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

ଚାଷୀଙ୍କ ନାଁରେ ଠିକାଦାର ଓ ନେତା ସବୁ ଯୋଜନାକୁ ହାତେଇ ମାଲେମାଲ୍‌ ହେଉଥିବାର ନଜିର୍‌ ରହିଛି। ଏଥିରେ କେବଳ ବ୍ଲକ୍ ପ୍ରଶାସନ ଦାୟୀ ତାହା ନୁହଁ, ପଶୁ ବିଭାଗର ଅଧିକାରୀମାନେ ସଂପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ପଶୁ ନିରୀକ୍ଷକ ରିପୋର୍ଟ ଦେବା ପୂର୍ବରୁ ସେ ପ୍ରକୃତ ଚାଷୀ କି ନୁହେଁ ଦେଖିବାର କଥା କିନ୍ତୁ ସେସବୁକୁ ନ ଦେଖି ରିପୋର୍ଟ ଦିଆଯାଇଛି। ଏଭଳି ଅନେକ ବ୍ୟକ୍ତି ଚାଷୀ ନ ହୋଇ ଗୁହାଳ ହାତେଇଥିବାର ଠୋସ୍‌ ପ୍ରମାଣ ରହିଛି। ଗୁହାଳ ଘର ପାଇବାକୁ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ଜିଆର୍‌ଏସ୍‌ ଓ ବ୍ଲକ୍‌ରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗାଁର କଳ୍ପନା ସ୍ବାଇଁ, ଗନ୍ଧର୍ବ ସ୍ବାଇଁ, ଖଦାଳ ସ୍ବାଇଁ, କୈଳାସ ବେହେରା, ସୁବାସ ସ୍ବାଇଁ, ଜଗନ୍ନାଥ ସ୍ବାଇଁ, କାହ୍ନୁ ସ୍ବାଇଁ, ଅଶୋକ ବେହେରା, ସୁଶାନ୍ତ ବେହେରା ଓ ବିଜୟ ବେହେରା ଆଦି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ଚାଷୀଙ୍କୁ ବାଛି ଗୁହାଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର