ଯୁକ୍ତ୨ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ମନା, ୨୮ ପୃଷ୍ଠାରେ ଉତ୍ତର ଲେଖିବେ ପରୀକ୍ଷାର୍ଥୀ

ସକାଳ ୬ଟାରୁ ହବ୍‌ରୁ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ବର: ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷାର ସ୍ବଚ୍ଛତା ଓ କପି ରୋକିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କପି ରୋକିବା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ନେବା ଉପରେ କଟକଣା ଲଗାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ମୋବାଇଲ୍‌ ଦାଖଲ କରିବେ। କେବଳ ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ କେନ୍ଦ୍ରକୁ ପ୍ରବେଶ କରିବେ। ଯଦି ପରୀକ୍ଷାର୍ଥୀ କିଛି ବହି, ପେପର ସାଙ୍ଗରେ ଆଣିଥାନ୍ତି ତାହାକୁ ହଲ୍‌ ବାହାରେ ରଖିବେ। କୌଣସି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ। ପରୀକ୍ଷାର ୧୫ ମିନିଟ୍‌ ଆଗରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିବେ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ଏବଂ ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ।

ନିଜ ନିକଟ ସମ୍ପର୍କୀୟ ଯଥା ବାପା, ମା’, ଭାଇ, ଭଉଣୀ, ପତ୍ନୀ, ସ୍ବାମୀ, ପୁଅ ଓ ଝିଅ ପରୀକ୍ଷା ଦେଉଥିଲେ ସମ୍ପୃକ୍ତ ବ୍ୟକ୍ତି ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ହୋଇପାରିବେ ନାହିଁ। ସୁପରିଟେଣ୍ଡେଣ୍ଟମାନେ ପ୍ରତିଦିନ ଅତିକମ୍‌ରେ ଦୁଇ ଥର ପରୀକ୍ଷା ହଲ୍‌କୁ ଗସ୍ତ କରି ଯାଞ୍ଚ କରିବେ। ହଲ୍‌, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତର ଖାତା ସିଲ୍‌ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ଏଥର ମଧ୍ୟ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ଦିଆଯିବ, ଯାହାକି ୨୮ ପୃଷ୍ଠା ବିଶିଷ୍ଟ ରହିବ। କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ। ଉକ୍ତ ଖାତାର ୨୪ ଓ ୨୬ ନମ୍ବର ପୃଷ୍ଠାରେ ଗ୍ରାଫ୍‌ ପେପର୍‌ ରହିଛି। ୨୦୨୦ କିମ୍ବା ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ଉତ୍ତର ଖାତାଗୁଡ଼ିକୁ ବ୍ୟବହାର ନ କରିବାକୁ ନିର୍ଦେଶ ଦିଆଯାଇଛି। ଏଥର ବି ୪ ସେଟ୍‌ର ପ୍ରଶ୍ନପତ୍ର ହେବ ଏବଂ ସେଟ୍‌ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ବସିବା ଶୈଳୀ ପ୍ରସ୍ତୁତ କରାଯିବ। ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍‌ ଆଗରୁ ପ୍ରଶ୍ନପତ୍ର ଦିଆଯିବ। ମେ’ ୧୭ରେ ହେବାକୁ ଥିବା ଉଦ୍ଭିଦ ବିଜ୍ଞାନ ବିଷୟର ପରୀକ୍ଷା ଲାଗି ପୂର୍ବାହ୍ନ ୧୦ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ। ୫୦୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ। ସେହିପରି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ। ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା ହଲ୍‌ ନିକଟରେ ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଅଲଗା ଅସ୍ଥାୟୀ ପରିସ୍ରାଗାର କରାଯିବ। ଜଣେ ପରୀକ୍ଷାର୍ଥୀ ଅତିବେଶିରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ବାହାକୁ ଯିବେ। ପରିସ୍ରାଗାର ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ଦାଖଲ କରିବେ ଇନ୍‌ଭିଜିଲେଟର ତାହା ସୁନିଶ୍ଚିତ କରିବେ। ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ହବ୍‌କୁ ଯିବ। ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ୮ଟା ସୁଦ୍ଧା ‌ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର ତାହାର ତଦାରଖ କରିବେ। ଯଦି ନିର୍ଧାରିତ ସମୟରେ ପ୍ରଶ୍ନପତ୍ର ‌ପରୀକ୍ଷା କେନ୍ଦ୍ରରେ ନ ପହଞ୍ଚେ ତେବେ ସେଣ୍ଟର ସୁପରିଟେଣ୍ଡେଣ୍ଟ ତୁରନ୍ତ ହବ୍‌ର ସୁପରଭାଇଜରଙ୍କ ସହ ଯୋଗାଯୋଗ କରିବେ। ଇନ୍‌ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର