ଶପଥ ନେଲେ ମୁଖ୍ୟ ବିଚାରପତି

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍ ଆଜି ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ ଓ ଶପଥ ଗ୍ରହଣ ପାଇଁ
ଉଦ୍ଦିଷ୍ଟ ନିର୍ଦ୍ଦେଶନାମା ପାଠ କରିଥ‌ିଲେ।

ଶପଥ ଗ୍ରହଣ ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ହାଇକୋର୍ଟ ଓ ଗୃହ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। କରୋନା ମହାମାରୀ ପାଇଁ ଅତ୍ୟାବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା, ସାମାଜିକ ଦୂରତ୍ବ ରକ୍ଷା ଓ ଶୃଙ୍ଖଳା ମଧ୍ୟରେ କମ୍ ସଂଖ୍ୟକ ଅଧିକାରୀଙ୍କ ଉପସ୍ଥିତିରେ ଏହି ସଂକ୍ଷିପ୍ତ ଉତ୍ସବ ସମାହିତ ହୋଇଥିଲା।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ଏପ୍ରିଲ୍‌ ୨୩ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। ଜଷ୍ଟିସ୍‌ ରଫିକ୍ ୧୯୮୪ ମସିହାରେ ନିଜର ଓକିଲାତି ଜୀବନ ଆରମ୍ଭ କରି ରାଜସ୍ଥାନ ହାଇକୋର୍ଟରେ ସୁନାମ ଅର୍ଜନ କରିଥିଲେ। ୨୦୦୮ ମସିହାରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଓ ୨୦୧୯ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସମ୍ବନ୍ଧିତ ଖବର