୩୬ ଦିନ ବିଳମ୍ବରେ ଦେଶରୁ ଫେରିବ ମୌସୁମୀ

ଉତ୍ତର-ପଶ୍ଚିମ ଭାରତରୁ ୬ରୁ ବିଦାୟ ନେବ ମୌସୁମୀ, ଅକ୍ଟୋବର ୨୦ରୁ ଓଡ଼ିଶାରୁ ଫେରିବା ଆରମ୍ଭ କରିବ

ଭୁବନେଶ୍ବର : ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀ ଋତୁ ସରିବା ପରେ ଏବେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ସମୟ ଆସିଛି। ସାଧାରଣ ଭାବେ ସେପ୍ଟେମ୍ବର ୧ରୁ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟ‌ା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ। ପ୍ରାୟ ୩୬ ଦିନ ବିଳମ୍ବରେ ଅର୍ଥାତ୍‌ ଅକ୍ଟୋବର ୬ ତାରିଖରୁ ଦେଶରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।

ଶ୍ରୀ ଦାସ କହିଛନ୍ତି, ସାଧାରଣ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିଯିବାର ୪୫ ଦିନ ପରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଥାଏ। ଏଣୁ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି। କିନ୍ତୁ ଏହି ପ୍ରକ୍ରିୟା ତ୍ବରାନ୍ବିତ ବି ହୋଇପାରେ। ଅର୍ଥାତ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେଲେ ବି ତ୍ବରିତ ବେଗରେ ଏହି ପ୍ରକ୍ରିୟା ଶେଷ ହୋଇପାରେ ଏବଂ ଆଉ ୪୫ ଦିନ ସମୟ ନ ନେଇ ୧୫ ଦିନ ଭିତରେ ବି ମୌସୁମୀ ଓଡ଼ିଶା ଛାଡ଼ିପାରେ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ବି‌ଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩ ଓ ୪ ଅକ୍ଟୋବର ଆଡ଼କୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୫ ଅକ୍ଟୋବର ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ କମିବ।

ସମ୍ବନ୍ଧିତ ଖବର