ବିବାହିତା ଝିଅର ଚିକିତ୍ସା ଲାଗି ବଡ଼ ମେଡିକାଲକୁ ଯାଉଥିଲେ ମା : ରେଳ ଷ୍ଟେସନରେ ଉଭୟଙ୍କ ପ୍ରାଣହାନି

ଯାଜପୁର: ବିବାହିତା ଝିଅ ଅସୁସ୍ଥ ଥିଲେ। ଏହାକୁ ନେଇ ଚିନ୍ତାରେ ଥିଲେ ଶାଶୁ ଓ ଜ୍ବାଇଁ। ଏଣୁ ସପରିବାର ବାହାରିଥିଲେ କଟକ ବଡ଼ ମେଡିକାଲ।  କିନ୍ତୁ କେହି ଜାଣି ନଥିଲେ ଯେ ଉଭୟ ମା ଓ ଝିଅଙ୍କୁ ବାଟରେ ଯମ ଜଗିଛି ବୋଲି। ହଁ, କୋରେଇ ରେଳ ଷ୍ଟେସନରେ ଦୁହିଁଙ୍କୁ ଯମ ସାଙ୍ଗରେ ନେଇଯାଇଛି।

ସୂଚନା ଅନୁଯାୟୀ, ପାର୍ବତୀ ବିନ୍ଧାଣି ନିଜ ଝିଅ କଢ଼େଇ ବିନ୍ଧାଣିଙ୍କର ଚିକିତ୍ସା ଲାଗି କଟକ ବଡ଼ ମେଡକାଲକୁ ଯିବା ପାଇଁ ଆଜି ଭୋରରୁ ନିଜ ଗାଁରୁ ବାହାରିଥିଲେ। ତାଙ୍କ ସହ ଜ୍ବାଇଁ ବଳରାମ ବିନ୍ଧାଣି, ନାତି ବିଶ୍ବଜିତ ବି ଥିଲେ। ହେଲେ କିଏ ଜାଣିଥିଲା ଯେ ମୃତ୍ୟୁ ମା ଓ ଝିଅ ଙ୍କୁ ଅପେକ୍ଷା କରିଛି। ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା ଏବଂ ସେଥିରେ ପ୍ରାଣ ହରାଇଥିଲେ ପାର୍ବତୀ ଓ କଢ଼େଇ। ଏଣେ ଏଥିରେ ଜ୍ବାଇଁ ବଳରାମ ବିନ୍ଧାଣି ଓ ନାତି ବିଶ୍ବଜିତ ବି ଆହତ ହୋଇଥିଲେ।

ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣହରାଇଥିବା ଏଯାବତ୍ ତିନି ମହିଳା ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାର୍ବତୀ ବିନ୍ଧାଣି, କଢ଼େଇ ବିନ୍ଧାଣି ଓ ଅବଜୁନ ବିବି।

ଏଣେ ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏଣେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ରହିଛି ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଏ ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର