ଟିପିଡବ୍ଲୁଓଡିଏଲ୍‍ ଏବଂ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ

ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ

ସମ୍ବଲପୁର: ଗତ ମାର୍ଚ୍ଚ ୧୦, ୨୦୨୨ରିଖ ଦିନ ଟିପିଡବ୍ଲୁଓଡିଏଲ୍‍ ଏବଂ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍‍ ପକ୍ଷରୁ ଏହାର ମୁଖ୍ୟ ନିର୍ବାହୀ ଅଧିକାରୀ ଗଜାନନ୍‍ କାଲେ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ।  ଏହା ଦ୍ବାରା  ବିଶ୍ୱବିଦ୍ୟାଳୟ ଅଧୀନ ସୂଚନା ପ୍ରଯୁକ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‍ ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ନୂତନ ପ୍ରଯୁକ୍ତି ବିଦ୍ୟାର ଅନ୍ୱେଷଣ ସହ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇପାରିବେ।

ସେମାନେ ସମସ୍ତ ପ୍ରକାରର ପରିକଳ୍ପନା, ଆଧୁନିକୀକରଣ ତଥା କାର୍ଯ୍ୟାନ୍ୱିତ କରିବା ପାଇଁ ସୁଯୋଗ ପାଇବେ। ଏଣିକି ଛାତ୍ରଛାତ୍ରୀମାନେ ଯାନ୍ତ୍ରିକ ଭାଷା, ପାଏଥନ୍‍ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମିଂ ଭାଷା, ସ୍ୱୟଂଚାଳିତ ବିଦ୍ୟୁତ୍‍ ଯୋଗାଣ ସବ୍‍ଷ୍ଟେସନ୍‍ ସହିତ ଆହୁରି ଅନେକ ପ୍ରକାରର କ୍ରିୟାକଳାପ ସଂପର୍କରେ ଶିକ୍ଷା ଅର୍ଜନ ଏବଂ ଗବେଷଣା କରିପାରିବେ। ବିଦ୍ୟୁତ୍‍ ବିତରଣ କମ୍ପାନି ବହୁଳ ଗ୍ରାହକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଏହି ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାରର ଉନ୍ନତ ଧରଣର, ଉନ୍ନତମାନର ଅଭିଜ୍ଞତାର ସୁବିଧାସୁଯୋଗ ଯୋଗାଇ ଦିଆଯିବ।

ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ଏପରି ସଂଗଠନର ସହଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିବ। ପରସ୍ପରର ଏପରି ସହଯୋଗିତାରେ ବିଦ୍ୟୁତ୍‍ ଉପଭୋକ୍ତାମାନେ ମଧ୍ୟ ଉପକୃତ ହୋଇପାରିବେ। ଏହା ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରୋଜଗାରକ୍ଷମ କରିବାର ସୁଯୋଗ ପ୍ରଦାନ କରିବ ବୋଲି କଂପାନିର ମୁଖ୍ୟ କର୍ପୋରେଟ୍‍ କମ୍ୟୁନିକେସନ୍‍ ଏବଂ ସରକାରୀ ସମ୍ପର୍କ ଅଧିକାରୀ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର