ତାଳତେଲ ପାଇଁ ୧୦ କମ୍ପାନି ସହିତ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଓଡ଼ିଶାରେ ତାଳତେଳ ଚାଷକୁ ସମ୍ପ୍ରସାରିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନା ନ୍ୟାସନାଲ ମିସନ ଅନ୍‌ ଏଡିବୁଲ୍‌ ଅଏଲ୍‌ ପାମ୍‌ ଯୋଜନାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ୧୦ଟି କମ୍ପାନିଙ୍କ ସହ ୨୦ଟି ଜିଲ୍ଲାରେ ତାଳତେଲ ଚାଷ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ପାମ ଅଏଲ୍‌ କମ୍ପାନିମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଚଳିତ ବର୍ଷ ରାଜ୍ୟରେ ୧୧୦୦ ହେକ୍ଟର ଏବଂ ୨୦୨୧-୨୨ ମସିହାରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ୧୦ ହଜାର ୫୦୦ ହେକ୍ଟର ଜମିରେ ତାଳତେଲ ଚାଷ ପାଇଁ ଲକ୍ଷ୍ୟ ରହିଛି। ବୁଝାମଣାପତ୍ର ଅନୁଯାୟୀ ଆବଣ୍ଟିତ କରାଯାଇଥିବା ଜିଲ୍ଲାରେ ଉକ୍ତ କମ୍ପାନିଗୁଡ଼ିକ ବିହନ ବଗିଚା ପ୍ରତିଷ୍ଠା, ନର୍ସରି ସ୍ଥାପନ ମାଧ୍ୟମରେ ତାଳତେଲ ଚାରାର ଉତ୍ପାଦନ, କ୍ଷେତ୍ର ସଂପ୍ରସାରଣ କରିବା ସହିତ ଅତି କମ୍‌ରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ତାଳତେଲ ଉତ୍ପାଦନ କାରଖାନା ସ୍ଥାପନ କରିବେ।

ସମ୍ବନ୍ଧିତ ଖବର