ରବି ମିଶ୍ରଙ୍କ ବିୟୋଗରେ ଶୋକ

ଭୁବନେଶ୍ବର : ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ନିଜ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଶ୍ରୀ ପଟ୍ଟନାୟକ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ‘ଗୋପାଳ ରହସ୍ୟ’ ଧାରାବାହିକରେ ନିପୁଣ ଓ ବଳିଷ୍ଠ ଅଭିନୟ ତାଙ୍କୁ ଓଡ଼ିଶାର ଘରେ ଘ‌େର ପରିଚିତ କରାଇଥିଲା। କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ମିଶ୍ର ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ନିଖ୍‌ୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁ କଳାଜଗତ ପାଇଁ ଅପୂରଣୀୟ କ୍ଷତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ସମୀର ମହାନ୍ତି ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ମିଶ୍ରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର