ଲୁଟ୍‌ ପାଇଁ ରୋଗୀ ସଂପର୍କୀୟଙ୍କୁ ହତ୍ୟା: ବୁର୍ଲା ପୁଲିସକୁ ଖୋଲା ଚାଲେଞ୍ଜ

ବୁର୍ଲା: ବୁର୍ଲା ପୁଲିସକୁ ଖୋଲା ‌ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଛତାବର ଗ୍ରାମର ଲମ୍ବୋଦର ନାୟକ (୩୬) ନିଜ ବାପା କପିଳ ନାୟକ (୬୬)ଙ୍କ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରକୁ ଆସିଥିଲେ। ହେଲେ, ଲୁଟେରାଙ୍କ ଆକ୍ରମଣରେ ନିଜେ ଆରପାରିକୁ ଚାଲିଗଲେ। ଲୁଟ୍‌ ପାଇଁ ବୁର୍ଲା ସହର ଗୌଡ଼ପାଲି ପାଖ ପାୱାର ଚାନେଲ ପାର୍ଶ୍ବରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଲମ୍ବୋଦର ତାଙ୍କ ବାପା କପିଳ ନାୟକଙ୍କୁ ଚିକିତ୍ସା ପାଇଁ ଗତ ୫ ତାରିଖ ଦିନ ବୁର୍ଲା ଭିମ୍‌ସାରକୁ ଆଣିଥିଲେ। କପିଳଙ୍କୁ ଇଏନ୍‌ଟି ବିଭାଗର ୨୨ ନମ୍ବର ଶଯ୍ୟାରେ ଭର୍ତ୍ତି କରିଥିଲେ। ତେବେ ବାପାଙ୍କ ଦେଖାରେଖା କରିବା ପାଇଁ ପୁଅ ଲମ୍ବୋଦରଙ୍କ ସହିତ ଜ୍ୱାଇଁ ଅଭିନ୍‌ ସୁନ୍ଦର ପ୍ରଧାନ ମଧ୍ୟ ଡାକ୍ତରଖାନାକୁ ଆସିଥିଲେ। ଅନ୍ୟ ଦିନ ପରି ଆଜି ଭୋର୍‌ ସମୟରେ ଲମ୍ବୋଦର ଏବଂ ଜ୍ୱାଇଁ ଅଭିନ୍‌ ନେତାଜୀ ଛକରୁ ଟିବି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାର ପାୱାର ଚାନେଲକୁ ଶୌଚ ପାଇଁ ଯାଇଥିଲେ। ଅଭିନ୍‌ ଶୌଚ ପାଇଁ ପାୱାର ଚାନେଲ ପାଖ ବୁଦା ପଛକୁ ଯାଇଥିଲେ।

ଲମ୍ବୋଦର ରାସ୍ତା ଉପରେ ପ୍ୟାଣ୍ଟ ରଖି ଗାମୁଛା ପିନ୍ଧି ପାଖରେ ଶୌଚ କରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଲମ୍ବୋଦରଙ୍କ ପ୍ୟାଣ୍ଟ ନେବା ପାଇଁ ଉଦ୍ୟମ କରିଥିଲେ। ଲମ୍ବୋଦର ତାଙ୍କୁ ବାରଣ କରିବାରୁ ଦୁର୍ବୁତ୍ତମାନେ ଏକ ଧାରୁଆ ଛୁରିରେ ଲମ୍ବୋଦରଙ୍କୁ ଆକ୍ରମଣ କରିଥିଲେ।  ଲମ୍ବୋଦରଙ୍କ ହାତ ଓ ଛାତିରେ ଆକ୍ରମଣ କରିଥିଲେ। ସେହି ସ୍ଥାନରେ ହିଁ ଲମ୍ବୋଦର ପଡ଼ିଯାଇ ଛଟପଟ ହୋଇଥିଲେ। ତାଙ୍କ ଚିତ୍କାର ଶୁଣି ସାଙ୍ଗରେ ଯାଇଥିବା ଲମ୍ବୋଦରଙ୍କ ଭିଣୋଇ ଅଭିନ୍‌ ସାଙ୍ଗେ ସାଙ୍ଗେ ସେଠାକୁ ପହଂଚି ଥିଲେ।

ସେହି ରାସ୍ତାଦେଇ ଯାଉଥିବା ଜଣେ ଅଟୋରିକ୍ସା ଚାଳକଙ୍କ ସହାୟତାରେ ଇଆର୍‌ଭି ଭ୍ୟାନକୁ ସୂଚନା ଦେଇଥିଲେ। ଖବର ପାଇ ବୁର୍ଲା ଇଆର୍‌ଭି ଭ୍ୟାନ ଘଟଣାସ୍ଥଳରେ ପହଂଚି ଚିକିତ୍ସା ପାଇଁ ଲମ୍ବୋଦରଙ୍କୁ ଡାକ୍ତରଖାନାକୁ  ନେଇଥିଲେ। ଡାକ୍ତର ସେଠା‌ରେ ଲମ୍ବୋଦରଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାସ, ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ପହଂଚି ତଦନ୍ତ କରିଥିଲେ। ଲୁଟ୍ ଉଦେଶ୍ୟରେ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କିହିଛି। ପୁଲିସ ସେହି ଅଂଚଳର ସିସିଟଭି କ୍ୟାମେରା ଫୁଟେଜ୍‌ ଯାଂଚ କରିବା ସହିତ ପୁରୁଣା ଅପରାଧୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଥାନା ଅଧିକାରୀ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର