ମୋ ପୁଅ କେବେ ଭୁଲ କରି ପାରିବନି…

କଟକ : ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ଡ୍ରାଇଭର (ଲୋକୋ ପାଇଲଟ୍‌) ଗୁଣନିଧି ମହାନ୍ତି ଏବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଗୁଣନିଧିଙ୍କ ଘର କଟକ ସଦର ବ୍ଲକ ଅନ୍ତର୍ଗତ ଝାରକଟା ପଂଚାୟତର ନହରପଦା ଗାଁରେ। ଗୁଣନିଧିଙ୍କ ବାପା ବିଷ୍ଣୁଚରଣ ମହାନ୍ତି ହେଉଛନ୍ତି ସେନା ବାହିନୀର ଅବସରପ୍ରାପ୍ତ କର୍ମଚାରୀ।

ବିଷ୍ଣୁଚରଣ କୁହନ୍ତି, ‘ମୋ ପୁଅ କେବେ ଭୁଲ କରିପାରିବନି। ତାର ଅନେକ ଅଭିଜ୍ଞତା ରହିଛି। ୨୭ବର୍ଷ ହେଲା ଟ୍ରେନ ଚଳାଇ ଆସୁଛି। ଏବେ ପଦୋନ୍ନତି ପାଇଥିଲା। ୨ମାସ ହେଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଚଳାଉଥିଲା। ସିଗନାଲ୍‌ ସମସ୍ୟା ଓ ଷ୍ଟେସନ୍‌ ମ୍ୟାନେଜରଙ୍କ ଭୁଲ୍‌ ପାଇଁ ହୁଏତ ଏଭଳି ଦୁର୍ଘଟଣା ଘଟିଥାଇପାରେ।’

ବିଷ୍ଣୁଚରଣ କହିବା ଅନୁଯାୟୀ ଦୁର୍ଘଟଣା ପରେ ଘରେ ୪ ଦିନ କାଳ ଚୁଲି ଜଳି ନଥିଲା। ଖାଇବା, ପିଇବା ଭୁଲି ଯାଇଥିଲୁ। ପୁଅ କିଛିମାସ ତଳେ ଗାଁକୁ ଆସିଥିଲା। ଘର ପରିବାର, ଗାଁ ଲୋକ, ସମସ୍ତଙ୍କ ସହିତ ତା’ର ଭଲ। ପୁଅ ସୁସ୍ଥ ହୋଇ ଘରକୁ ଫେରୁ, ଏତିକି ଆଶା କରୁଛି। ଦୁର୍ଘଟଣା ସିବିଆଇ ତଦନ୍ତ ଚାଲିଛି। ସବୁ ସତ ସାମ୍ନାକୁ ଆସିବ ବୋଲି ବିଷ୍ଣୁଚରଣ କହିଛନ୍ତି।

ସମ୍ବନ୍ଧିତ ଖବର