କବିତାରୁ ଆରମ୍ଭ ହୋଇଥିଲା ମୋ ସାରସ୍ବତ ଯାତ୍ରା: ରାମଚନ୍ଦ୍ର ନାୟକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକଙ୍କୁ ରବିବାର ଦିନ କେନ୍ଦ୍ର ସାହିତ୍ୟ ଅକା‌ଦେମି ପକ୍ଷରୁ ଓଡ଼ିଆ ଭାଷା ପାଇଁ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। ଡ. ନାୟକଙ୍କୁ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଏହି ପୁରସ୍କାର ମିଳିଛି। ୧୯୫୦ ଜୁନ୍ ୨୨ ତାରିଖରେ ଅତାସାହି ଗ୍ରାମର ସ୍ବର୍ଗତ ଭାଗୀରଥି ନାୟକ, ସ୍ବର୍ଗତା ଚମ୍ପାବତୀ ନାୟକଙ୍କ ଜ୍ୟେଷ୍ଠପୁତ୍ର ଡ. ନାୟକ ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରଶିକ୍ଷକ ରହିଥିବା ଡ. ନାୟକ ଦୀର୍ଘ ୫୫ ବର୍ଷରୁ ଊର୍ଧ୍ବ ସମୟ ଧରି ସାହିତ୍ୟ ସାଧନା କରିବା ପରେ ତାଙ୍କୁ ଏହି ସଫଳତା ମିଳିଛି।

ପୁରସ୍କ‌ାର ପାଇବା ଅବସରରେ ଡ. ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସାରା ଓଡ଼ିଶାର ଅଗଣିତ ଶିଶୁମାନଙ୍କର ହୃଦୟର ଯେଉଁ ବାର୍ତା ଭଗବାନଙ୍କ ନିକଟରେ ପହଞ୍ଚାଇ ପାରିଛି; ସେଇ ବାର୍ତାର ପ୍ରତିଫଳନ ସ୍ବରୂପ ଆଜି ମୋତେ ଏହି ପୁରସ୍କାର ମିଳିଛି। ୧୯୬୦ ମସିହାରୁ ମୁଁ ଲେଖିବା ଆରମ୍ଭ କରିଛି। ୫ମ ‌ଶ୍ରେଣୀରେ ପଢ଼ୁଥିବା ସମୟରେ ଅନ୍ତାକ୍ଷରୀ ପଦ୍ୟ ପ୍ରତିଯୋଗିତା ଚାଲିଥିବା ବେଳେ ସ୍ବତଃ ମୋ କଣ୍ଠରୁ ‘ଭ’ ବର୍ଣ୍ଣ ପାଇଁ ଏକ ପଦ୍ୟ ବାହାରି ଆସିଥିଲା। ତାହା ଥିଲା, ‘ଭଗବାନ ତୁମ୍ଭେ ଶୁଣ… ମୁହିଁ ଡାକୁଛି ପୁଣ… ଭଗବାନ ତୁମ୍ଭେ ଶୁଣ….ଶୁଣ ମୋର କଥା କର୍ଣ୍ଣ ଡେରିଣ… ଭଗବାନ ତୁମ୍ଭେ ଶୁଣ। ଏହା ଥିଲା ମୁଁ ପଞ୍ଚମ ଶ୍ରେଣୀ ପଢ଼ୁଥିବା ସମୟର ମୋ ପ୍ରଥମ କବିତା। ଆଉ ପରବର୍ତୀ ସମୟରେ ଏହା ମୋ ସାହିତ୍ୟ ଜୀବନର ତଥା ସାରସ୍ବତ ଜୀବନର ପ୍ରଥମ ପାହଚ ଥିଲା।

ସମ୍ବନ୍ଧିତ ଖବର