ବଲାଙ୍ଗୀର/ଭୁବନେଶ୍ବର : ଅତି ପ୍ରବଳ ବାତ୍ୟା ଫନି ପରବର୍ତୀ ମହାବିପର୍ଯ୍ୟୟକୁ ମୁକାବିଲା କରିବା ରାଜ୍ୟ ସରକାରଙ୍କ ସାଧ୍ୟତୀତ। ଆଜି ପର୍ଯ୍ୟନ୍ତ କିଛି ଅଫିସରଙ୍କ ସହାୟତାରେ ରାଜ୍ୟ ସରକାର ଯେଉଁଭଳି ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି, ସେଥିରୁ ମନେ ହେଉନାହିଁ ଯେ ବାତ୍ୟା ପୀଡ଼ିତମାନେ ଖୁବଶୀଘ୍ର ଦାରୁଣ ଦୁର୍ଦଶାରୁ ମୁକ୍ତି ପାଇପାରିବେ। ଏଥିପାଇଁ ଭାରତ ସରକାର ଆଗେଇ ଆସି ‘ଫନି’ ଜନିତ ମହାବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଆଜି ଏଭଳି ମର୍ମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଫନି ରାଜ୍ୟ ପାଇଁ ବିରାଟ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ବାତ୍ୟା ଘଟିବାର ୫ ଦିନ ପେର ମଧ୍ୟ ରାଜ୍ୟ ସରକାର ଅନେକ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିପାରି ନାହାନ୍ତିି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଭାରତୀୟ ସେନାବାହିନୀର ସହାୟତା ଲୋଡ଼ିବାକୁ ସେ ମତ ଦେଇଛନ୍ତିି। କେବଳ ସେତିକି ନୁହେଁ, ଓଡ଼ିଶା ସରକାର ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ମାନବ ସମ୍ବଳ ଓ ସାମଗ୍ରୀ ଆକାରରେ ସହଯୋଗ କରିବାକୁ ନିବେଦନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
୧୯୯୯ ମହାବାତ୍ୟା ପରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ। ପ୍ରାୟ ୧.୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତିି। ତେବେ ଏ ନେଇ ସଠିକ୍ ଆକଳନ ଅଦ୍ୟାବଧି ସମ୍ଭବ ହୋଇପାରି ନାହିଁ। ୧୯୯୯ ମହାବାତ୍ୟାର ୩/୪ ଦିନ ଭିତରେ ଭୁବନେଶ୍ବରରେ ବିଜୁଳି, ପାଣି ଯୋଗାଣ ସମ୍ଭବ ହୋଇପାରିଥିଲା। କିନ୍ତୁ ଆଜି ସୁଦ୍ଧା ରାଜଧାନୀବାସୀ ପାଣି, ବିଜୁଳି ପାଇଁ ଛଟପଟ ହେଉଛନ୍ତି। ଗ୍ରାମାଞ୍ଚଳର ସ୍ଥିତି କେତେ ସାଂଘାତିକ ତାହା ବେଶ୍ ଅନୁମେୟ ବୋଲି ଶ୍ରୀ ମିଶ୍ର ଉଦ୍ବେଗ ପ୍ରକାଶ କରି କହିଛନ୍ତି। ସ୍ଥିତି ତଦାରଖ ପାଇଁ ଆବଶ୍ୟକ ସଂଖ୍ୟକ ଅଫିସର ନାହାନ୍ତି। େସ କହିଛନ୍ତି ଯେ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ରାଜ୍ୟ ଅନେକ ଆଗରୁ ବାତ୍ୟାର ପ୍ରକୋପକୁ ନେଇ ସୂଚନା ପାଇଥିଲେ ମଧ୍ୟ ଏହାର ପ୍ରକୋପ ଏତେ ବେଶୀ ଥିଲା ଯେ ରାଜ୍ୟର ୧୧ଟା ଜିଲ୍ଲାର ଦେଢ଼ କୋଟିରୁ ଅଧିକ ଲୋକ ବର୍ତ୍ତମାନ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଏହି ବାତ୍ୟା ବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରିବା ପାଇଁ ଶୀଘ୍ର ଦାବି କରନ୍ତୁ। ଯେତେ ଶୀଘ୍ର ହେବ ଭାରତୀୟ ସେନାବାହିନୀ ସହଯୋଗ ନେଇ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ତଥା ଆନ୍ୟାନ୍ୟ ଭିତ୍ତିଭୂମି ଯେପରି ଶୀଘ୍ର ପୁନଃ ନିର୍ମାଣ ହୋଇପାରିବ ସେ ଦିଗରେ ତତ୍ପରତା ଦେଖାନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।