ପ୍ରାଣୀ ପ୍ରଜନନ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟି: ନାରାୟଣପାଟଣା ଛେଳିକୁ ମିଳିବ ଜାତୀୟ ମାନ୍ୟତା

ହରିୟାଣା ବିଶେଷଜ୍ଞ ଦଳ କଲେ ଅନୁଧ୍ୟାନ
ଛେଳିଙ୍କ ଠାରୁ ସଂଗ୍ରହ ହେଲା ରକ୍ତ ନମୁନା

ନାରାୟଣପାଟଣା : ପ୍ରାଣୀ ପ୍ରଜନନ ପ୍ରକ୍ରିୟାରେ ଉତ୍ତମ ମାନ ଯୋଗୁ କୋରାପୁଟ ଜିଲ୍ଲାର ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ମିଳିସାରିଛି। ଏହାପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ଛେଳିକୁ ସ୍ବତନ୍ତ୍ର ପ୍ରଜାତି ଭାବେ ଜାତୀୟ ମାନ୍ୟତା ମିଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। ଯଦି ମାନ୍ୟତା ମିଳିଯିବ, ତେବେ ଜାତୀୟ ସ୍ତରରେ ପଶୁପାଳନ କ୍ଷେତ୍ରରେ ଓଡ଼ିଶା ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିବ।

ଗତବର୍ଷ ନ୍ୟାସ୍‌ନାଲ ବ୍ୟୁରୋ ଅଫ୍ ଆନିମଲ ଜେନେରେଟିକ ରିସର୍ଚ (ଏନ୍‌ବିଏଜିଆର) ପକ୍ଷରୁ ମଣ୍ଡା ମଇଁଷିକୁ ୧୯ତମ ସ୍ବତନ୍ତ୍ର ବ୍ରିଡ ମାନ୍ୟତା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ୱାଟରସେଡ୍ ସପୋର୍ଟ ସର୍ଭିସ୍ ଆଣ୍ଡ ଏକ୍ଟିଭିସ୍ ନେଟୱର୍କର ଚାରି ଜଣିଆ ବିଶେଷଜ୍ଞ ଦଳ ନାରାୟଣପାଟଣା ଗସ୍ତରେ ଆସି ଏଠାକାର ଛେଳିଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହି ଅଞ୍ଚଳର ଛେଳିଙ୍କ ଗୁଣବତ୍ତା, ଉତ୍କଟ ବିହନ, ସ୍ବତନ୍ତ୍ର ପରିବେଶରେ ବଢ଼ୁଥିବା ଛେଳିଙ୍କ ବ୍ରିଡ୍‌, ହାବଭାବ ସହ ସମସ୍ତ ଚାଷୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଏହାର ୮ ମାସ ପରେ ଆଜି ହରିୟାଣାର କର୍ନାଲରୁ ଦୁଇ ଜଣ ପଶୁ ବିଶେଷଜ୍ଞ ଡାକ୍ତର କରନବୀର ସିଂହ ଏବଂ ବରିଷ୍ଠ ଗବେଷକ ମହେଶ ଦିଗେ ନାରାୟଣପାଟଣା ଗସ୍ତ କରି ସ୍ଥାନୀୟ ପଶୁ ସଂପଦ ବିଭାଗ କର୍ମଚାରୀ ଏବଂ ଚାଷୀଙ୍କୁ ଭେଟିଥିଲେ। ପୋଡ଼ାପଦର ପଞ୍ଚାୟତର କିଛି ଗାଁ ବୁଲି ଛେଳିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିଛନ୍ତି। ୧୫ରୁ ଅଧିକ ଛେଳିଙ୍କ ରକ୍ତ ନମୁନା ସଂଗ୍ରହ ପରେ ହରିୟାଣାରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଏଠାକାର‌ ପରିବେଶ ସହ ଖାପଖୁଆଇ ଚଳୁଥିବା ୪ରୁ ୫ ପ୍ରଜାତିର ଛେଳି କ’ଣ ଖାଉଛନ୍ତି ପଚାରିଥିଲେ। ପାହାଡ଼ିଆ ତଥା ଜଙ୍ଗଲିଆ ପରିବେଶରେ ଅତି ସହଜରେ ବଞ୍ଚି ପାରୁଥିବାରୁ ଏହି ପ୍ରଜାତିର ଛେଳିଙ୍କ ଚାହିଦା ବହୁତ ଅଧିକ ରହିଥିବା ଜଣାପଡ଼ିଛି। ବିଶେଷକରି ଛେଳିଙ୍କ ମାଂସ, କ୍ଷୀରର ରଙ୍ଗ, ଅଳ୍ପ ସମୟରେ ବଂଶବୃଦ୍ଧି ବିଶେଷଜ୍ଞ ଦଳର ଧ୍ୟାନ ଆକର୍ଷଣ କରିଥିଲା। ମୁଖ୍ୟତଃ କଳା, ମାଟିଆ, ନାଲି ରଙ୍ଗର ଦେଶୀ ଛେଳିଙ୍କ ଗୁଣବତ୍ତା ପ୍ରତିକୂଳ ପରିବେଶ ସହ ଖାପଖୁଆଇ ପ୍ରଜନନ କ୍ଷେତ୍ରରେ ବେଶ ସଫଳ ହୋଇଥିବା ଚାଷୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର