ବିଶ୍ୱ ଦେଖିବ ନବୀନଙ୍କ ଫନି ମୁକାବିଲା, ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଦର୍ଶିତ ହେବ ସ୍ୱତନ୍ତ୍ର ଶୋ

ଭୁବନେଶ୍ୱର: ମୋଦୀଙ୍କ ପରେ ନବୀନ । ପୂରା ବିଶ୍ୱ ଦେଖିବ ନବୀନଙ୍କ ଫନି ମୁକାବିଲାର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ସ୍ୱତନ୍ତ୍ର ସୋ’ରେ ଫନି ମୁକାବିଲାର ପୂରା କାହାଣୀ ଦେଖିବାକୁ ମିଳିବ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଏହି ସୋ’ର ପ୍ରସାରଣ କରାଯିବ । ତେବେ ଟେଲିକାଷ୍ଟ ହେବା ପୂର୍ବରୁ ଏହି ସ୍ୱତନ୍ତ୍ର ସୋ’ର ପ୍ରୋମୋ ସାମ୍ନାକୁ ଆସିଛି ।

ଏହି ପ୍ରୋମୋରେ ଖାସକରି ଫନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି । ବାତ୍ୟା ଫନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିବ । ଫନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିବାକୁ ପାଇବେ ବିଶ୍ୱବାସୀ । ୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କରୀ ଫନି ପର୍ଯ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିବେ ନବୀନ । ପ୍ରଳୟଙ୍କାରୀ ବାତ୍ୟା ଫୋନି ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ ବତାଇବେ ସୁତ୍ର ।

ପ୍ରଳୟଙ୍କାରୀ ବାତ୍ୟା ଫନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ରହିଛି MEGA CYCLONE FANI : ‘RESCUING A MILLION’ । ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଛି । ଏହାପୂର୍ବରୁ ବାତ୍ୟା ଫନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା । ତେବେ ଫନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୂରା ବିଶ୍ୱ ଦେଖିବ ।

ସମ୍ବନ୍ଧିତ ଖବର