ନ୍ୟାସନାଲ ହେଲ୍‌ଥ ପ୍ରୋଫାଇଲ୍ ରିପୋର୍ଟରେ ଓଡ଼ିଶା: ମ୍ୟାଲେରିଆରେ ଦ୍ବିତୀୟ, ସାପ କାମୁଡ଼ାରେ ତୃତୀୟ

ନୂଆଦିଲ୍ଲୀ: ମ୍ୟାଲେରିଆ ମାମଲାରେ ଓଡ଼ିଶାର ସ୍ଥାନ ଦ୍ବିତୀୟ। ସେହିପରି, ସାପକାମୁଡ଼ା ମାମଲାରେ ଦେଶରେ ତୃତୀୟ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ହେଲ୍‌ଥ ଇଣ୍ଟେଲିଜେନ୍ସ (ସିବିଏଚ୍‌ଆଇ) ପକ୍ଷରୁ ଜାରି ହୋଇଥିବା ‘ନ୍ୟାସନାଲ ହେଲ୍‌ଥ ପ୍ରୋଫାଇଲ ରିପୋର୍ଟ-୨୦୧୯’ରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସମୁଦାୟ ୧, ୬୯, ୦୮୮୮ ମ୍ୟାଲେରିଆ ମାମଲା ପଞ୍ଜୀକୃତ ହୋଇଛି। ଏହି ସମୟସୀମା ମଧ୍ୟରେ ମ୍ୟାଲେରିଆରେ ସମୁଦାୟ ୨୭୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ, ୨୦୧୭ ମସିହା ତୁଳନାରେ ୨୦୧୮ ମସିହାରେ ରାଜ୍ୟରେ ମ୍ୟାଲେରିଆ ମାମଲା ହ୍ରାସ ପାଇଛି। ୨୦୧୭ ମସିହାରେ ସମୁଦାୟ ୩,୪୭, ୮୬୦ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୦୧୮ ମସିହାରେ ଏହା ୬, ୬୩, ୦୧୮କୁ ଖସି ଆସିଛି। ସେହିଭଳି, ୨୦୧୭ ମସିହାରେ ୩୪ ଜଣ ଓ ୨୦୧୮ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି। ଏହି ମାମଲାରେ ଓଡ଼ିଶାର ସ୍ଥାନ ସାରା ଦେଶରେ ଦ୍ବିତୀୟ। ପ୍ରଥମ ସ୍ଥାନରେ ରହିଥିବା ଛତିଶଗଡ଼। ସିବିଏଚଆଇ ରିପୋର୍ଟରେ ଓଡ଼ିଶାରେ ୨୦୧୭ ମସିହା ତୁଳନାରେ ୨୦୧୮ମସିହାରେ ଆକ୍ୟୁଟ୍ ଏନ୍‌ସିଫାଇଲିଟିସ୍ ସିନ୍‌ଡ୍ରମ ମାମଲାରେ ବୃଦ୍ଧି ହୋଇଥିବାର କୁହାଯାଇଛି। ୨୦୧୭ ମସିହାରୁ ଏହି ସଂଖ୍ୟା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଡେଙ୍ଗୁ ମାମଲା ବୃଦ୍ଧି ପାଇଥିବାବେଳେ ଚିକେନଗୁନିଆରେ କୌଣସି ମାମଲା ପ୍ରକାଶ ପାଇନି।

ଅନ୍ୟପକ୍ଷରେ, ସାପ କାମୁଡ଼ା ମାମଲାରେ ଓଡ଼ିଶାର ସ୍ଥାନ ତୃତୀୟ। ୨୦୧୭ ମସିହାରେ ସମୁଦାୟ ୧୫୨୭୪ ମାମଲା ଆସିଥିଲା। ସେଥିମଧ୍ୟରୁ ୧୭୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୭୪ ଜଣଙ୍କ ମଧ୍ୟରୁ ୯୨ ଜଣ ପୁରୁଷ ଓ ୫୫ ଜଣ ମହିଳା ଥିଲେ। ରିପୋର୍ଟ ଅନୁସାରେ, ୨୦୧୮ରେ ୮୦୦୩ ମାମଲାରୁ ୯୮ ଜଣଙ୍କର ମୃତ୍ୟୁ ହୋଇଥିଲା। ସର୍ବାଧିକ ୨୬୮ ଜଣଙ୍କ ମୃତ୍ୟୁ ପଶ୍ଚିମବଙ୍ଗରେ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶେର ୧୧୭ ଟି ମୃତ୍ୟୁ ହୋଇଥିଲା ଓ ଓଡ଼ିଶାରେ ମୃତଙ୍କ ସଂଖ୍ୟା ୯୮। ସାପ କାମୁଡ଼ା ମୃତ୍ୟୁ ମାମଲରା ୨୦୧୮ରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟରେ ରାଜ୍ୟମାନଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଦିଆଯାଇଥିବା ଲକ୍ଷ୍ୟ ଓ ସଫଳତା ହାସଲ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମୋତିଆ ବିନ୍ଦୁ ଅପରେସନ ପାଇଁ ରାଜ୍ୟରେ ଧାର୍ଯ୍ୟ କରାଯାଇଥିବା ୨୭୬୮୫୩ ଟି ଲକ୍ଷ୍ୟରୁ ୧୩୨୮୮୭ ଟି ସଫଳତା ହାସଲ କରାଯାଇଛି। ୨୦୧୭ ଓ ୨୦୧୮ ରେ ସ୍କୁଲରେ ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦେବା କ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ୩୧୨୬୧ ଲକ୍ଷ୍ୟରୁ ୬୪୪୭୦ ସଫଳତା ହାସଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେ ସିବିଏଚଆଇ ରିପୋର୍ଟରେ ଓଡ଼ିଶାରେ ୧୫-୪୯ ବର୍ଷ ବୟସର ୫୧.୦ ମହିଳା ରକ୍ତହୀନତା ଥିବାର କୁହାଯାଇଛି। ଏହି ଆୟୁବର୍ଗର ୪୭.୬ ପ୍ରତିଶତ ଗର୍ଭବତୀ ମହିଳାମାନେ ମଧ୍ୟ ରକ୍ତହୀନତା ଥିବା ରିପୋର୍ଟରେ ଉଲ୍ଲେଖ ଅଛି।

୨୦୧୮ ସୁଦ୍ଧା ଓଡ଼ିଶାରେ ମେଡିକାଲ ଯୋଗ୍ୟତା ଥିବା ଡାକ୍ତରମାନଙ୍କ ସଂଖ୍ୟା ୨୨୫୨୧ ଥିବାବେଳେ ଜାନୁଆରି ୧, ୨୦୧୮ ସୁଦ୍ଧା ରାଜ୍ୟରେ ଆୟୁଷ ଡାକ୍ତରମାନଙ୍କ ସଂଖ୍ୟା ୧୪୭୨୫ ଥିବାର ରିପୋର୍ଟ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଓଡ଼ିଶାରେ ସମୁଦାୟ ୧୨ ସରକାରୀ ଓ ଟ୍ରଷ୍ଟ ଦ୍ବାରା ପରିଚାଳିତ ମେଡିକାଲ କଲେଜରେ ମେଡିକାଲ ପାଠ୍ୟକ୍ରମ ପାଇଁ ୧୫୫୦ ସିଟ୍ ରହିଥିବାବେଳେ ଏହାର ସଂଲଗ୍ନ କଲେଜ ହସ୍‌ପିଟାଲ ପାଇଁ ୬୯୨୨ ଶଯ୍ୟା ରହିଛି। ରିପୋର୍ଟରେ ଓଡ଼ିଶାର ନୂଆପଡ଼ା, ନୟାଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି, ଯାଜପୁର, ବୌଦ୍ଧ ଓ ବରଗଡ଼ ଫ୍ଲୋରାଇଡ୍ ପ୍ରଭାବିତ ଜିଲ୍ଲାମାନଙ୍କର ୯୪ ଜନବସତିକୁ ଏପ୍ରିଲ ୧, ୨୦୧୮ ସୁଦ୍ଧା ସୁରକ୍ଷିତ ପିଇବା ପାଣି ଯୋଗାଇଦିଆ ଯାଇନଥିବା ଉଲ୍ଲେଖ ଅଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ନୟାଗଡ଼, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାକୁ ଜାତୀୟ ଫ୍ଲୋରସିସ୍ ନିରାକରଣ ଓ ନିୟନ୍ତ୍ରଣ ଯୋଜନା-୨୦୧୮ରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର