ପଶୁ ସମ୍ପଦ ଉପରେ ପ୍ରାକୃତିକ ବିପର୍ଯ୍ୟୟ କାଳ: ଅକାଳରେ ଯାଉଛି ଗାଈ-ଗୋରୁଙ୍କ ଜୀବନ

ବ୍ରହ୍ମପୁର : ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଏକ ସାଧାରଣ କଥା ପାଲଟିଗଲାଣି। ଫାଇଲିନ୍‌ ବାତ୍ୟା ପରଠୁ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଲୋକେ। ଏବେ ଓଡ଼ିଶା ପାଇଁ ପୁଣିଥରେ ବାତ୍ୟା ‘ଜୱାଦ’ର ଭୟ ଦେଖାଦେଇଛି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ଚାଷୀକୁଳ ଚିନ୍ତାରେ ରହିଛନ୍ତି। ବାତ୍ୟା ଯୋଗୁ ବହୁ ଧନ, ସମ୍ପତ୍ତି, ଘରଦ୍ବାର, ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ବାତ୍ୟା ପ୍ରଭାବରୁ ବାଦ୍‌ ପଡ଼ୁନି ପଶୁ ସମ୍ପଦ। ଏଭଳି ପ୍ରାକୃତିକ ବିପର୍ଯ୍ୟାୟ ଏବେ ପଶୁ ସମ୍ପଦ ପାଇଁ କାଳ ହୋଇଛି। ବହୁ ଚାଷୀଙ୍କ ଗାଈ-ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ପ୍ରଭୃତି ମରି ଯାଉଛନ୍ତି। ବଦଳରେ ତାଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ମିଳୁଛି। କିନ୍ତୁ ସେହି କ୍ଷତିପୂରଣ ଚାଷୀଙ୍କ କ୍ଷତ ଭରଣା କରିପାରୁ ନାହିଁ। ଏଣୁ ଚାଷୀଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏପରିକି କିଛି ଚାଷୀ ତାଙ୍କର ଜୀବିକା ସଂପୂର୍ଣ୍ଣ ହରାଇ ବସୁଛନ୍ତି।

ଗଞ୍ଜାମ ଜିଲ୍ଲାରେ ଗତ ୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟା ତାଣ୍ଡବ ଖେଳାଇଥିଲା। ଚାରିଆଡ଼େ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ଖଣ୍ଡପ୍ରଳୟ ସୃଷ୍ଟି କରିଥିଲା। ବାତ୍ୟାରେ ଲୋକଙ୍କ ଟିଣ, ଛପର ଘର ଉଡ଼ି ଯାଇଥିଲା। ବହୁ ପଶୁ, ପକ୍ଷୀ ମଧ୍ୟ ମରି ଯାଇଥିଲେ। ୨୦୧୪ ମସିହାରେ ଆସିଥିବା ହୁଡ୍‌ହୁଡ୍‌ ସେ‌ତେଟା କ୍ଷତି ଘଟାଇ ନଥିଲା। କିନ୍ତୁ ୨୦୧୮ରେ ଦେଖାଦେଇଥିବା ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଜିଲ୍ଲାରେ ୧୦୬ଟି ଗାଈ ଓ ମଇଁଷି ମରିଥିବାବେଳେ ୧ହଜାର ୪୫ଟି ଛେଳି ଓ ମେଣ୍ଢା ମରିଥିଲେ। ସେହିପରି ୨୨ଟି ବଳଦ, ୮୩ଟି ବାଛୁରି ଓ ୧୯୮୭ଟି ଫାର୍ମ କୁକୁଡ଼ା ମରି ଯାଇଥିଲେ। ଏହି ପଶୁଙ୍କ ମୃତ୍ୟୁ ବାବଦରେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୧୦୬ଟି ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଛେଳି ଓ ମେଣ୍ଢା ପାଇଁ ୩ହଜାର, ବଳଦ ପାଇଁ ୨୫ହଜାର, ବାଛୁରି ପାଇଁ ୧୬ହଜାର ଏବଂ ଗୋଟିଏ ଫାର୍ମ କୁକୁଡ଼ା ପାଇଁ ୫୦ଟଙ୍କା ଲେଖାଏଁ ଏଭଳି ମୋଟ ୮୧ଲକ୍ଷ ୪୮ହଜାର ୬୫୦ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା। ସେହିପରି ରିପ୍ଲେସ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍‌ ଯୋଜନାରେ ୮୪ଜଣ ଚାଷୀଙ୍କୁ ଗୋଟିଏ ଗାଈ କିମ୍ବା ମଇଁଷ କ୍ରୟ ବାବଦରେ ମୋଟ ୩୮ଲକ୍ଷ ୯୧ହଜାର ୩୬୨ ଟଙ୍କା ଦିଆଯାଇଥିଲା। ସେହିପରି ୩୮୪ଜଣ ଚାଷୀଙ୍କୁ ୧୦ଟି ମାଇ ଛେଳି ଓ ଗୋଟିଏ ଅଣ୍ଡିରା ଛେଳି କ୍ରୟ ବାବଦରେ ମୋଟ ୧କୋଟି ୬୪ହଜାର ୩୭୭ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟପଟେ ୨୦୧୯ରେ ଆସିଥିବା ଫନି ବାତ୍ୟାରେ ମଧ୍ୟ ୮ଲକ୍ଷ ୮୨ହଜାର ୩୫୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ୪ଟି କୁକୁଡ଼ା ଫାର୍ମକୁ ମଧ୍ୟ ୩ଲକ୍ଷ ୩୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ସରକାରଙ୍କ ତରଫରୁ ଦିଆଯାଇଥିଲା।

ରାଜ୍ୟ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯାଉଛି ସତ କିନ୍ତୁ ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖାଇବାରେ ଶତପ୍ରତିଶତ ସହଯୋଗ କରିପାରୁ ନାହିଁ। ଯାହା ଫଳରେ ବିଶେଷ କରି ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ଗଞ୍ଜାମ-ଗଜପତି ଦୁଗ୍ଧ ସମବାୟ ସମିତିର ସଦସ୍ୟ ଥିବା ଚାଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଏଣୁ ଏଭଳି ଦୁଗ୍ଧ ଚାଷୀଙ୍କ ପାଇଁ ସରକାର କିଛି ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର