କ୍ଷମତା ରାଜନୀତିରେ ନବୀନଙ୍କ ୨୫ ବର୍ଷ

ରାଜ୍ୟ ରାଜନୀତିରେ ନିଷ୍କଣ୍ଟକ, ଅପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର : କ୍ଷମତା ରାଜନୀତି କ୍ୟାରିୟର୍‌କୁ ୨୫ ବର୍ଷ ଛୁଇଁଲା। ଏହି ସମୟ ମଧ୍ୟରେ ୨ ବର୍ଷ କେନ୍ଦ୍ର ମନ୍ତ୍ରୀ ଓ ୨୨ ବର୍ଷ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଏବେ ବି ସେ ଓଡ଼ିଶାରେ ଶାସନ ଚଳାଇଛନ୍ତି। ୧୯୯୭ ମସିହା ପୂର୍ବରୁ ରାଜନୀତିର ଧାର୍‌ ଧାରୁ ନ ଥିବା ନବୀନ ପଟ୍ଟନାୟକ ଏବେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ। କ୍ଷମତା ରାଜନୀତିରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି। ତାହା ସହ ଜାତୀୟ ରାଜନୀତିରେ ବିଭିନ୍ନ ପ୍ରସଙ୍ଗରେ କିଛି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ନିଜର ଉପସ୍ଥିତିକୁ ଜୋର୍‌ଦାର କରୁଛନ୍ତି ନବୀନ।

ରାଜ୍ୟ ରାଜନୀତିର ଇତିହାସକୁ ଦେଖିଲେ ୨୫ ବର୍ଷ କ୍ଷମତାରେ ବହୁ ନେତା ରହିଛନ୍ତି। କିନ୍ତୁ ଲଗାତାର ଭାବେ ଶୀର୍ଷ ପଦବିରେ ନିରଙ୍କୁଶ କ୍ଷମତା ଉପଭୋଗ କରିବାରେ ନବୀନ ଅଦ୍ବିତୀୟ। ନବୀନଙ୍କ ରାଜନୈତିକ ବୟସ ବଢ଼ିବା ସହ ରାଜ୍ୟ ରାଜନୀତିର ଭିନ୍ନ ଭିନ୍ନ ଅଧ୍ୟାୟ ଲେଖାଚାଲିଛି। ତାଙ୍କ ସମୟରେ ରାଜନୀତିର ଚିତ୍ର, ଚରିତ୍ର ସବୁ ବଦଳିଯାଇଛନ୍ତି। ତାଙ୍କ ରାଜନୀତି, ନିର୍ବାଚନ ପରିଚାଳନା, ଶାସନ ତରିକା ସବୁ ଗୋଟିଏ ଗୋଟିଏ ଭିନ୍ନ ଉଦାହରଣ ସୃଷ୍ଟି କରିଛି।

ବିଭିନ୍ନ ମହଲରୁ ଶୁଭେଚ୍ଛା
ନବୀନ ନିବାସରେ ଗହଳି

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। ସେ ଯାଏ ଓଡ଼ିଶାବାସୀଙ୍କ ସହ ତାଙ୍କର ସଂପର୍କ ସେମିତି କିଛି ବି ନଥିଲା। ଦିଲ୍ଲୀର କିଛି ବିଶିଷ୍ଟ ଲୋକଙ୍କ ସହ ତାଙ୍କର ସମ୍ପର୍କ ସୀମିତ ଥିଲା। ପିତା ବିଜୁ ପଟ୍ଟନାୟକଙ୍କ ପରଲୋକରେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନରେ ତତ୍‌କାଳୀନ ଜନତା ଦଳର ପ୍ରାର୍ଥୀ ହୋଇଥିଲେ ନବୀନ। ଜୁନ୍ ୧ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ଓ ସେ ସଂସଦକୁ ନିର୍ବାଚିତ ହୋଇଥିଲେ। ତାହା ପରେ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା। ଏହି ଯାତ୍ରା ଯେ ସମ୍ପୂର୍ଣ୍ଣ ନିଷ୍କଣ୍ଟକ ହୋଇଛି, ତାହା ନୁହେଁ। କିନ୍ତୁ ନବୀନ ସବୁବେଳେ କ୍ଷମତାକୁ ନିଜ ପଟେ ରଖିବାକୁ ସକ୍ଷମ ହୋଇଛନ୍ତି। ବିରୋଧୀ ଓ ଅସନ୍ତୁଷ୍ଟଙ୍କୁ ତାଙ୍କ ପାଖାପାଖି ପହଞ୍ଚାଇବାର ବି ସୁଯୋଗ ଦେଇ ନାହାନ୍ତି।

୧୯୯୮ ମସିହାରେ ଲୋକସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ଆସିକାରୁ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ନବୀନ। ସେହି ନିର୍ବାଚନ ବେଳକୁ ଜନତା ଦଳରୁ ବାହାରି ଓଡ଼ିଶାରେ ବିଜେଡି ଗଠନ କରିସାରିଥିଲେ ଓ ନିଜେ ହୋଇଥିଲେ ସଭାପତି। ଅଟଳ ବିହାରୀ ବାଜପେୟୀଙ୍କ ୧୩ ମାସିଆ ସରକାରରେ ଇସ୍ପାତ ଓ ଖଣି ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୯ ମସିହାରେ ପୁନର୍ବାର ହୋଇଥିବା ଲୋକସଭା ନିର୍ବାଚନରେ ନବୀନ ତୃତୀୟ ଥର ପାଇଁ ଆସିକାରୁ ବିଜୟୀ ହୋଇଥି‌ଲେ। ଏଥର ମଧ୍ୟ ବାଜପେୟୀ ସରକାରରେ ଇସ୍ପାତ ଓ ଖଣି ବିଭାଗ ଦାୟିତ୍ବ ପାଇଥିଲେ।
୨୦୦୦ ମସିହା ମାର୍ଚ୍ଚ ମାସରେ ରାଜ୍ୟ‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସନରେ ଥିବା କଂଗ୍ରେସକୁ ମୁକାବିଲା କରିବା ପାଇଁ ବିଜେଡି-ବିଜେପି ମେଣ୍ଟ ହେଲା। ନବୀନଙ୍କ ନେତୃତ୍ବରେ ଏହି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କଲା। କେନ୍ଦ୍ର ମନ୍ତ୍ରୀ ପଦ ଛାଡ଼ି ମୁଖ୍ୟମନ୍ତ୍ରୀ ଭାବେ ରାଜନୀତିର ଆଉ ଏକ ଇନିଂସ ଆରମ୍ଭ କଲେ ନବୀନ। ୨୦୦୦ ଓ ୨୦୦୪ ଦୁଇଟି ବିଧାନସଭା ନିର୍ବାଚନରେ ନବୀନଙ୍କ ନେତୃତ୍ବରେ ବିଜେଡି-ବିଜେପି ମେଣ୍ଟ ସରକାର କ୍ଷମତାରେ ରହିଥିଲା। ୨୦୦୯ରେ ଘଟଣାକ୍ରମେ ବିଜେପିର ହାତ ଛାଡ଼ିଥିଲେ ବିଜେଡି ମୁଖିଆ। ନିଜ ଦମ୍‌ରେ ୨୦୦୯ ସାଧାରଣ ନିର୍ବାଚନକୁ ସାମ୍ନା କଲେ। ଏକା ଏକା ରାଜ୍ୟ ଶାସନର ଡୋରି ଧରିବାକୁ ବିଜେଡି ସକ୍ଷମ ହେଲା। ଜାତୀୟ ରାଜନୀତିରେ ନବୀନ ନିଜର ଏକ ସ୍ବତନ୍ତ୍ର ସ୍ଥିତି ଜାହିର କଲେ। ନବୀନଙ୍କ ରାଜନୈତିକ ଗୋଟି ଚାଳନାରେ ବିଜେପି ବହୁ ପଛକୁ ଠେଲି ହୋଇଗଲା। ପୁଣି ୨୦୧୪ ଓ ୨୦୧୯ରେ ବିପୁଳ ସଫଳତା ହାସଲ କରି ନବୀନଙ୍କ ନେତୃତ୍ବରେ ବିଜେଡି ତା’ର ଶାସନ ଜାରି ରଖିଛି।

କେବଳ କ୍ଷମତା ରାଜନୀତିରେ ନବୀନଙ୍କ ରେକର୍ଡ ଚର୍ଚ୍ଚାରେ ରହୁ ନାହିଁ। ରାଜନୈତିକ ବିରୋଧୀଙ୍କୁ ଶକ୍ତିହୀନ କରିବା ଓ ଦଳ ଭିତରର ବିଦ୍ରୋହୀଙ୍କୁ ଦୃଢ଼ ହସ୍ତରେ ଦମନ କରି ନିଜକୁ ଜଣେ ପୋଖତ ରାଜନେତାର ପରିଚୟ ଦେବାରେ ସେ ସକ୍ଷମ ହୋଇଛନ୍ତି। କ୍ଷମତା ରାଜନୀତିର ୨୫ ବର୍ଷ ମଧ୍ୟରେ ନବୀନ ନିଜ ଦଳର ବହୁ ପ୍ରଭାବଶାଳୀ ବିଦ୍ରୋହୀଙ୍କୁ କ୍ଷମତାଠାରୁ ଦୂରେଇ ରଖିବାରେ ସମର୍ଥ ‌ହୋଇଛନ୍ତି। ବିଦ୍ରୋହୀଙ୍କ ଉପରେ ନବୀନଙ୍କ ହମ୍‌ଲା ଏତେ କଡ଼ା ରହିଛି ଯେ ତାହା ଦଳ ଭିତରେ ତାଙ୍କର ନେତୃତ୍ବକୁ ଆହୁରି ଶକ୍ତିଶାଳୀ କରିଦେଇଛି। ପୁଣି ନିର୍ବାଚନ ମଇଦାନରେ ନବୀନଙ୍କ ଗୋଟିଚାଳନା ଏତେ ଶାଣିତ ଯେ ବିରୋଧୀ ତାଙ୍କୁ ଟପିବା ତ ଦୂରର କଥା, ପାଖାପାଖି ବି ପହଞ୍ଚିପାରୁ ନାହାନ୍ତି। ଫଳରେ ନିର୍ବାଚନୀ ରାଜନୀତିରେ ନବୀନ ଯେ ଏକ ନମ୍ବର, ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି।

ନିର୍ବାଚନୀ ଗୋଟିଚାଳନା ସହ ଭୋଟର୍‌ଙ୍କୁ ବାନ୍ଧି ରଖିବାରେ ‘ବ୍ରାଣ୍ଡ୍‌ ନବୀନ’ ଶତ ପ୍ରତିଶତ ସଫଳ ହୋଇଛି। ଏନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଖଞ୍ଜି ଭୋଟର୍‌ଙ୍କୁ ନବୀନ ମନସ୍କ କରିବାରେ ସେ ସଫଳ ହୋଇଛନ୍ତି। କିଛି ଯୋଜନା ପାଇଁ ନବୀନ ସମାଲୋଚିତ ବି ହେଉଛନ୍ତି। ବିଶେଷଜ୍ଞମାନେ ଏପରି ଯୋଜନାକୁ ସମର୍ଥନ କରୁନାହାନ୍ତି। ଏହାର କୁପରିଣାମ ସମ୍ପର୍କରେ ଚେତାଇ ଦେଉଛନ୍ତି। କିନ୍ତୁ ଭୋଟ୍‌ ରାଜନୀତିରେ ପ୍ରଭାବ ଅଧିକ ରହୁଥିବାରୁ ଯୋଜନା ବର୍ଷା କମୁ ନାହିଁ। ପୁଣି ମିସନ୍ ଶକ୍ତି ମାଧ୍ୟମରେ ମହିଳାଙ୍କ ପାଇଁ ପ୍ରୋତ୍ସାହନର ପାହାଡ଼ ଖଞ୍ଜି ଦେଇ ମହିଳାଙ୍କ ମଧ୍ୟରେ ନବୀନ ଏକ ସ୍ବତନ୍ତ୍ର ସମ୍ମାନ ହାସଲ କରୁଛନ୍ତି। ନବୀନଙ୍କ ଏହି ଭୋଟ୍‌ ରଣନୀତିକୁ ବିରୋଧୀ ଭେଦ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଫଳରେ ନିର୍ବାଚନ ପରେ ନିର୍ବାଚନକୁ ଏକପାଖିଆ ଭାବେ ଜିତି ଚାଲିଛନ୍ତି ନବୀନ।

ନିର୍ବାଚନୀ ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ ଆଡ଼ୁ ଶୁଭେଚ୍ଛୁାର ସୁଅ ଛୁଟିଛି। ସାମାଜିକ ଗଣମାଧ୍ୟମରେ ନବୀନଙ୍କ ସଫଳତାର କାହାଣୀ ଛାଇଯାଇଛି। ଆଜି ସନ୍ଧ୍ୟାରେ ଦଳୀୟ ସାଂସଦ, ବିଧାୟକ ଓ କର୍ମୀମାନେ ନବୀନ ନିବାସ ଯାଇ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର